ଭୁବନେଶ୍ବର: ସରକାର କୌଣସିପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେନି କି ଦୁର୍ନୀତି ପାଇଁ ସରକାରଙ୍କୁ ବଦନାମ ହେବାକୁ ଦିଆଯିବନି। ତୁମ ଅଞ୍ଚଳରେ ଯଦି ବାଲି, ‌ଲଘୁ ଖଣିଜ ଚୋରାଚାଲାଣ ହେଉଛି ତେବେ ଏହାକୁ ତୁରନ୍ତ ବନ୍ଦ କର। ଏଥିପାଇଁ ଡ୍ରୋନ୍ ଟେକ୍ନୋଲୋଜିଠାରୁ ଆରମ୍ଭ କରି ଯାହା ଦରକାର ବ୍ୟବହାର କର। କୌଣସି ପ୍ରକାରର ରାଜନୈତିକ ଚାପର ଶିକାର ହୁଅନି। ଚୋରା ମଦ  ବନ୍ଦ କର। ଚଢ଼ଉ, ଯାଞ୍ଚ ଜୋରଦାର କର। ଯଦି ଚୋରା ମଦ କାରବାର ବନ୍ଦ କରିନପାରିଲ ତେବେ ଏଥିପାଇଁ ଜିଲ୍ଲାପାଳମାନେ ହିଁ ଦାୟୀ ରହିବେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନର ସହ ସୌଜନ୍ୟମୂଳକ ବ୍ୟବହାର କରନ୍ତୁ। 

Advertisment

ଆଜିଠାରୁ ଲୋକସେବା ଭବନ କନ୍‌ଭେନସନ୍ ସେଣ୍ଟରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ଛଳରେ ଏମିତି ତାଗିଦ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଯିଏ ଯେଉଁ ପଦବିରେ ଥାଉ ନା କାହିଁକି, ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ। ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏହା ହିଁ ହେଉଛି ସୁଶାସନର ମୂଳଦୁଆ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇ କହିଥିଲେ ଯେ ଆପଣମାନେ ଦୁର୍ନୀତିମୁକ୍ତ, କ୍ଷେତ୍ର ପରିଦର୍ଶନ, ଶାସନବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଅଭିଯୋଗ ଶୁଣାଣି, ଓଡ଼ିଆ ଅସ୍ମିତା, ସାମାଜିକ ଗଣମାଧ୍ୟମର ବ୍ୟବହାର, କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଉଚିତ ସମ୍ମାନ, ସରକାରୀ କାର୍ଯ୍ୟରେ ଆଉଟ୍‌ସୋର୍ସିଂ ବନ୍ଦ, ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ଉପରେ ଗୁରୁତ୍ବ ଦିଅନ୍ତୁ। ଏହାସହ ସର୍ବଦା ନିଜ କାର୍ଯ୍ୟରେ ସଚ୍ଚୋଟ ଓ ସାଧୁତା ଅବଲମ୍ବନ କରନ୍ତୁ। ଅାଶ୍ଚର୍ଯ୍ୟର ବିଷୟ ୟୁପିଏସ୍‌ସି ଓ ଓପିଏସ୍‌ସିରେ ଭଲ ମାର୍କ ରଖିଥିବା ସରକାରୀ କର୍ମଚାରୀମାନେ କମ୍‌ ବୟସରୁ ଦୁର୍ନୀତି କରୁଛନ୍ତି। ଏଥିରୁ ସେମାନେ ବିରତ ରହିବା ଦରକାର। 

ବାଲି ଚୋରାଚାଲାଣରେ ରାଜନୈତିକ ଚାପ ଶୁଣନି
ଚୋରା ମଦ ବନ୍ଦ ନ ହେଲେ ଜିଲ୍ଲାପାଳ ଦାୟୀ
ଗାଦିମଡ଼ା ବାବୁଙ୍କୁ ମାର୍ଚ୍ଚ ସୁଦ୍ଧା ବିଦା କର
ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କର

ସେହିପରି ଜିଲ୍ଲାପାଳମାନେ ନିଜ କାର୍ଯ୍ୟାଳୟ ଭିତରେ ସୀମିତ ନ ରହି କ୍ଷେତ୍ର ପରିଦର୍ଶନକୁ ଗୁରୁତ୍ବ ଦିଅନ୍ତୁ। ଲୋକଙ୍କ ସହ ମିଶି ସେମାନେ କ’ଣ ଚାହୁଛନ୍ତି ପଚାରି ବୁଝନ୍ତୁ। ଏବେବି ବହୁ ଅଧିକାରୀ ଇଂରାଜୀରେ ସରକାରୀ କାର୍ଯ୍ୟ, ଚିଠି କରୁଛନ୍ତି। ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରନ୍ତୁ। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସମସ୍ତ ସରକାରୀ ନଥିପତ୍ର, ନୋଟିସ୍, ବିବରଣୀ ଓ ବିଜ୍ଞାପନ ଓଡ଼ିଆ ଭାଷାରେ କରନ୍ତୁ। ଗାଦିମଡ଼ା ବାବୁଙ୍କ ପାଇଁ ଦୁର୍ନୀତି ବଢ଼ୁଛି। ତେଣୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ ଗାଦିମଡ଼ା ବାବୁଙ୍କୁ ବଦଳି କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ କହିଥିଲେ, ଟିଭିରେ ଦେଖିଥିଲି ଭଞ୍ଜନଗରର ସୁବର୍ଣ୍ଣପୁର ଗାଁରେ ଏବେବି ବିଦ୍ୟୁତ୍‌ ପହଞ୍ଚିପାରିନି। ଜିଲ୍ଲାପାଳ ଏହିଭଳି ସମସ୍ୟାକୁ ପ୍ରାଥମିକତା ଦେବା କଥା। ଜିଲ୍ଲାପାଳ ତୁରନ୍ତ ଫୋନ୍ କରି ଏହି ସମସ୍ୟା ବିଷୟରେ ବୁଝନ୍ତୁ ଏବଂ ଏହାର ସମାଧାନ କରନ୍ତୁ। 

ଆମ ସରକାର ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୀତିନିୟମ ପରିସରରେ ରହି ଉଦ୍ୟୋଗୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ସରକାରଙ୍କ ନୂତନ କାର୍ଯ୍ୟକ୍ରମ ‘ମିସନ୍‌ ପାୱାର’ ଅଧୀନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତିଟି ଗ୍ରାମକୁ ସବୁଦିନିଆ ରାସ୍ତା, ବିଦ୍ୟୁତ୍‌ ଓ ପାନୀୟ ଜଳଯୋଗାଣର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ‘ମିସନ୍‌ ମୋଡ୍’ରେ କାମ କରିବାକୁ ହେବ। ଏହାସହ କାର୍ଯ୍ୟକ୍ରମ, ଯୋଜନା ବାବଦ ଖର୍ଚ୍ଚ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବା, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲଜାତ ଲଘୁଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା କ୍ଷେତ୍ରରେ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରିବା, ଧାନ ସଂଗ୍ରହ ଋତୁରେ ଧାନ ଚୋରାଚାଲାଣ ଉପରେ ତୀକ୍ଷ୍‌ଣ ନଜର ରଖିବା ଇତ୍ୟାଦି ବିଷୟରେ ଜିଲ୍ଲାପାଳମାନେ ଗୁରୁତ୍ବ ଦେବାକୁ ସେ କହିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସରକାର ଓ ପ୍ରଶାସନର ଗତି ସମାନ୍ତରାଳ ଭାବେ ନ ରହିଲେ ସମାଜର ଶେଷଧାଡ଼ି ପର୍ଯ୍ୟନ୍ତ ଯୋଜନାର ସୁଫଳ ପହଞ୍ଚିବ ନାହିଁ। ତେଣୁ, ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯାହାସବୁ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ତାକୁ ଠିକ୍ ସମୟରେ ସାରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ। 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ରାଜସ୍ୱ ବିଭାଗ ହେଉଛି ସରକାରଙ୍କ ମେରୁଦଣ୍ଡ। ସାଧାରଣ ଜନତାଙ୍କ ପାଇଁ ରାଜସ୍ୱ ସେବାକୁ ଅଧିକ ସରଳ କରିବା ପାଇଁ ରାଜସ୍ୱ ଆଇନଗୁଡ଼ିକରେ ସଂଶୋଧନ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ତୃଣମୂଳସ୍ତରରେ ପ୍ରତ୍ୟେକ ସ୍ଥାନକୁ ପ୍ରଶାସନ ପହଞ୍ଚିବା ଦରକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଉଚିତ ସମ୍ମାନର ସହିତ ସେବା ଯୋଗାଇଦେବା କ୍ଷେତ୍ରରେ ଯତ୍ନବାନ ହେବା ଆବଶ୍ୟକ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଧନ୍ୟବାଦ ଦେଇଥିଲେ।