ଦେବଗଡ଼ରେ ଜମିଜମାର ସ୍ୱତ୍ତ୍ବାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ବତ୍ତ୍ବାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ଆଇନ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଓ ଜମିଜମାର ସରଳୀକରଣ ପ୍ରକ୍ରିୟା ସମୟସାପେକ୍ଷ ଓ ଖର୍ଚ ବହୁଳ ଥିଲା। ଏହି ପ୍ରକ୍ରିୟା ପ୍ରସ୍ତୁତ ମାନଚିତ୍ରଗୁଡ଼ିକ ତ୍ରୁଟିମୁକ୍ତ ନ ଥିଲା ଓ ଶୀଘ୍ର ନଷ୍ଟ ହେବାର ଆଶଙ୍କା ରହିଥିଲା। ପାରମ୍ପରିକ ପଦ୍ଧତିରେ ଅଧିକ ମାନବ ସମ୍ବଳର ଆବଶ୍ୟକ ପଡ଼ୁଥିଲା। ଏହାସହ ମନୁଷ୍ୟକୃତ ତ୍ରୁଟି ମଧ୍ୟ ରହି ଯାଉଥିଲା। ଏସବୁ ସମସ୍ୟାକୁ ଦୂର କରିବା ସହ ଗୁଣବତ୍ତା ଓ ସ୍ବଚ୍ଛତା ରକ୍ଷା ସହିତ ଜମିଜମା ଜନିତ ଅଭିଯୋଗର ସମାଧାନ କରି ସମୟସୀମାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ସ୍ବତନ୍ତ୍ର ସର୍ଭେ ଓ ସେଟେଲମେଣ୍ଟ ଆଇନ ୨୦୧୨(ଓଏସ୍‌ ଏଣ୍ଡ ଏସ୍‌ ଆକ୍ଟ) ପ୍ରଣୟନ କରିଥିଲେ।

ଏହି ଅଧିନିୟମ ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ସରକାର ଜମିଜମା ସଂକ୍ରାନ୍ତୀୟ ତ୍ରୁଟି ସଂଶୋଧନ ଓ ସମାଧାନ ଦିଗରେ ଦୃଷ୍ଟି ଦେଇଛନ୍ତି। ହାଇଟେକ୍ ସର୍ଭେ ପାଇଁ ୨୦୧୨ରେ ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ଓଏସ୍‌ ଏଣ୍ଡ ଏସ୍ ଆଇନ ୨୦୧୨ରେ ସାମିଲ ହୋଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜମିଜମାର ସର୍ଭେ ଓ ସମାଧାନ କରିବା ପାଇଁ ଆଇଆଇସି ଟେକ୍‌ନୋଲୋଜି ସଂସ୍ଥାକୁ ଖୋଲା ଟେଣ୍ଡର ଜରିଆରେ ଚୟନ କରାଯାଇଥିଲା। ଗ୍ରାମ ମାନଚିତ୍ରଗୁଡ଼ିକ ପ୍ରସ୍ତୁତ ସହ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାୟିତ୍ବ ଦିଆଯାଇଥିଲା। ୨୦୧୭ ଓ ୨୦୧୮ରେ ଓଏସ୍‌ ଏଣ୍ଡ ଏସ୍ ଆଇନ ୨୦୧୨ ଅନୁଯାୟୀ ଦେବଗଡ଼ ଜିଲ୍ଲାର ୭୬୨ଟି ଗ୍ରାମ ସୂଚିତ ହୋଇଥିଲା। ଜିଲ୍ଲାର ସମସ୍ତ ଗ୍ରାମର ଆକାଶମାର୍ଗରୁ ନିଆଯାଇଥିବା ଫଟୋଗ୍ରାଫି ଆଧାରରେ ସମସ୍ତ ପ୍ଲଟ୍‌ ସହିତ ଗ୍ରାମର ମାନଚିତ୍ର ପ୍ରସ୍ତୁତ କରାଯାଇଛି।

ମାନଚିତ୍ର ପ୍ରସ୍ତୁତି ପରେ ପ୍ରାଥମିକ ରେକର୍ଡ ଅଫ ରାଇଟ୍‌ସ ସହିତ ଜମି ମାନଚିତ୍ରଗୁଡ଼ିକ ଭାଗଚାଷୀଙ୍କ ଆପତ୍ତି ଦାଖଲ ପାଇଁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସଂପୃକ୍ତ ତହସିଲଦାରଙ୍କ ଦ୍ବାରା ପ୍ରାଥମିକ ରେକର୍ଡ ଅଫ ରାଇଟ୍‌ସ ଉପରେ ଆପତ୍ତି ଉଠାଇବା ପରେ ସ୍ବତ୍ତ୍ବାଧିକାର ଡ୍ରାଫ୍‌ଟ ପ୍ରସ୍ତୁତ ହୋଇଥିଲା। ଡ୍ରାଫ୍‌ଟ ସ୍ବତ୍ତ୍ବାଧିକାର ଉପରେ ଆପତ୍ତି ନିୟମ ଅନୁଯାୟୀ ଉପଜିଲ୍ଲାମାନଙ୍କ ଦ୍ବାରା ସମାଧାନ ହୋଇଥିଲା। ପରେ ଦେବଗଡ଼ ଜିଲ୍ଲାର ୫୫୪ଟି ଗ୍ରାମକୁ ଜିଲ୍ଲାପାଳଙ୍କ ସହମତି ଓ ସ୍ବାକ୍ଷରରେ ଅନ୍ତିମ ସ୍ବତ୍ତ୍ବାଧିକାର ଓ ମାନଚିତ୍ର ପ୍ରକାଶ ପାଇଥିଲା। ମାନଚିତ୍ରଗୁଡ଼ିକ ତ୍ରୁଟିଶୂନ୍ୟ ହୋଇଛି। ପ୍ରତ୍ୟେକ ପ୍ଲଟ୍ ସଂଯୋଜନା ମାଧ୍ୟମରେ ସୂଚିତ ହୋଇଛି, ଯାହାକି ପୂର୍ବ କ୍ୟାଡଷ୍ଟ୍ରାଲ ମାନଚିତ୍ରରେ ଉପଲବ୍ଧ ନ ଥିଲା। ଏହି ସର୍ବେକ୍ଷଣ ଓ ସମାଧାନରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନର ଆବଶ୍ୟକତା ନାହିଁ। ପ୍ରତ୍ୟେକ ପର୍ଯ୍ୟାୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି। ଅନ୍ତିମ ରେକର୍ଡ ଅଫ ରାଇଟ୍‌ସରେ ଯେ କୌଣସି ତ୍ରୁଟି ମଧ୍ୟ ଅଧିନିୟମ ଅନୁଯାୟୀ ଜିଲ୍ଲାର ଏଡିଏମ୍‌ ପୂର୍ବରୁ ସଂଶୋଧନ ମାମଲା ଦାଖଲ କରି ସଂଶୋଧନ କରିଛନ୍ତି। ଜମି ବାବଦକୁ ହ୍ରାସ କରିବା ଦ୍ବାରା ଜମି ବିଭାଜନ ଅତ୍ୟନ୍ତ ସରଳ ହୋଇପାରିଛି। ଅଧିନିୟମ ଅନୁସାରେ ନୂତନ ରେକର୍ଡ ଅଫ୍ ରାଇଟ୍‌ସ ପ୍ରକାଶନ ସର୍ଭେ, ସେଟେଲମେଣ୍ଟ ଓ ଜମି ରେକର୍ଡର ଅପଡେଟ୍‌ ଭଳି କାର୍ଯ୍ୟ ତହସିଲ ମାଧ୍ୟମରେ ସମ୍ଭବ ହୋଇପାରୁଛି।

ସମ୍ବନ୍ଧିତ ଖବର