ଭୁବନେଶ୍ବର,୧୬: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଲାଠିଗୁଡ଼ା ଗ୍ରାମର ନକୁଲ ପେଣ୍ଠିଆଙ୍କ ବଡ଼ ପୁଅ ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବୃଦ୍ଧି ପାଉଛି। ଚିକିତ୍ସା ପାଇଁ ପୁଅକୁ ନକୁଳ ବିଭିନ୍ନ ଡାକ୍ତରଖାନାରେ ନେଇଥିବା ବେଳେ ଡାକ୍ତର କଟକ କିମ୍ବା ବ୍ରହ୍ମପୁରରେ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ନକୁଳଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ବେଳେ ଏହା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ବିଷ୍ଣୁ ପେଣ୍ଠିଆଙ୍କ କରୁଣ କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗ୍ରାମକୁ ଯାଇ ବିଷ୍ଣୁଙ୍କ ବାପାମା’ଙ୍କ ସହିତ ଆଲୋଚନା କରି ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲକୁ ନେଇଥିଲେ। ପରେ କୋରାପୁଟ ମେଡିକାଲରେ ଆବଶ୍ୟକ ପରୀକ୍ଷା ପରେ ଏକ ଆମ୍ବୁଲାନ୍‌ସରେ ବିଷ୍ଣୁଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା। ଆଜି ବିଷ୍ଣୁ ବାପାମା’ ଓ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିବା ପରେ ପ୍ଲାଷ୍ଟିକ ସର୍ଜରି ବିଭାଗୀୟ ମୁଖ୍ୟ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।