ଗଞ୍ଜାମ ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ସନ୍ତୁଷ୍ଟ ହୁଅନି, ଲଢ଼େଇ ଜାରି ରଖ

ସବୁ ସହଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର : ବର୍ତ୍ତମାନ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲାର ସରପଞ୍ଚମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ। କେବଳ ସେତିକି ନୁହେଁ, ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି। ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବା ଦରକାର। ସେମାନଙ୍କ ଭଲ କାମରେ ସେ ନିଜେ ସେମାନଙ୍କ ସାଥିରେ ରହିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଡା ପଦକ୍ଷେପ ନେଇଛନ୍ତି। କୋଭିଡ୍‌ କେୟାର ହୋମ, କୋଭିଡ୍‌ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି। କରୋନା ବିରୋଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି। ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍‌ ସମୟରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରିବା, ଲୋକଙ୍କୁ ସେବା ଯୋଗାଇବା ସେମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି।

ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍‌ କେସ୍‌ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି। ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍‌ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ। ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଆଲୋଚନାରେ ଭାଗ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍‌ କୋଭିଡ୍‌ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍‌ଶୀଘ୍ର କରୋନା ଦୂର ହେବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି। ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିବ।

ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିସନର ଏବଂ ବରିଷ୍ଠ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର