ଭରସା ଦେଲେ ମୁଖ୍ୟମନ୍ତ୍ରୀ : ସପ୍ତାହକରେ ସ୍ଥିତି ସୁଧୁରିବ

କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନ୍‌ସ ଦେବାକୁ ନିର୍ଦ୍ଦେଶ
ଅମାନିଆଙ୍କୁ ଆଉ ବରଦାସ୍ତ କରାଯିବନି

ଭୁବନେଶ୍ୱର : କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା କର। ଏହାସହିତ ଏହି ଦୁଇ ସହର ପାଇଁ ଅଧିକ ଆମ୍ବୁଲାନ୍‌ସ୍‌ ମୁତୟନ କରାଯିବା ଦରକାର। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ସପ୍ତାହରେ ଭୁବନେଶ୍ବର ଓ କଟକର ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ନିୟମାବଳୀ ଉଲଂଘନ କରୁଥିବା ଲୋକଙ୍କୁ ଆଉ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତା, ମାସ୍କ୍‌ ପିନ୍ଧିବା ଓ ସର୍ବସାଧାରଣ ସ୍ଥାନରେ ଛେପ ଯେପରି କେହି ନ ପକାନ୍ତି, ସେ ନେଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ଦୋକାନୀ, ଉଠା ଦୋକାନୀମାନେ ମଧ୍ୟ କୋଭିଡ୍‌ ନିୟମାବଳୀ ଉଲଂଘନ କରୁଥିବା ନଜରକୁ ଆସୁଥିବା ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ପୁଲିସ, ସ୍ବାସ୍ଥ୍ୟ ବିଭାଗ ଓ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡ଼ାକଡ଼ି ଅନୁପାଳନ ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ଲୋକ ନିୟମାବଳୀ ଠିକ୍‌ ଭାବରେ ପାଳନ କରୁଥିବାବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଛି। ଏପରି ଅମାନିଆ ଲୋକଙ୍କୁ ଆଉ ଏଣିକି କୌଣସି ପ୍ରକାର ନିସ୍ତାର ନାହିଁ।

ଗଞ୍ଜାମ, ସୁନ୍ଦରଗଡ଼, ଗଜପତି ଓ କୋରାପୁଟରେ କୋଭିଡ୍‌ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ୍‌ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁ ଜିଲ୍ଲାମାନଙ୍କରେ କୋଭିଡ୍‌ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଟିଏମ୍‌ସି, କୋଭିଡ୍‌ କେୟାର ସେଣ୍ଟର୍‌ ଓ କୋଭିଡ୍‌ କେୟାର ହୋମ୍‌ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରିବେ। ସେହିପରି ଘରୋଇ ଡାକ୍ତରଖାନାରେ କୋଭିଡ୍‌ ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂରକ୍ଷିତ ରଖିବା, ଡାକ୍ତରଖାନାଗୁଡ଼ିକରେ ଗୁଣାତ୍ମକ ସେବା ଯୋଗାଇବା ଓ ଗୃହ ସଙ୍ଗରୋଧରେ ଥିବା ରୋଗୀମାନଙ୍କ ଚିକିତ୍ସା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗୋଷ୍ଠୀକୁ ସାଥିରେ ନେଇ ବିଭିନ୍ନ ଜୋନ୍‌ଭିତ୍ତିକ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ସରକାରୀ କର୍ମଚାରୀମାନେ ସଂକ୍ରମିତ ହେଉଥିବା ନେଇ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ୍‌ ନିୟମାବଳୀକୁ ଆହୁରି କଡ଼ାକଡ଼ି ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ହଟ୍‌ସ୍ପଟ୍‌ ଜିଲ୍ଲାକୁ ଅଧିକ ଡାକ୍ତର ଓ ପ୍ରଶାସନିକ ଅଧିକାରୀ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଥିଲେ। କୋଭିଡ୍‌ ପରିଚାଳନା ବିଷୟରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ରାଜ୍ୟରେ ଆରୋଗ୍ୟ ହାର ୭୭.୮% ରହିଛି। ଯାହାକି ଜାତୀୟ ହାରଠାରୁ ସାମାନ୍ୟ ଅଧିକ। ସେହିପରି ଅନ୍ୟରାଜ୍ୟ ତୁଳନାରେ ମୃତ୍ୟୁ ହାର ମଧ୍ୟ ଓଡ଼ିଶାରେ ସର୍ବନିମ୍ନ ମାତ୍ର ୦.୪୩% ରହିଛି। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଷ୍ଟେପ୍‌ ଡାଉନ୍‌ ଆଇସିୟୁ ସୁବିଧା କରାଯିବ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦ୍ବୟ ଏବଂ ଭୁବନେଶ୍ବର-କଟକ ମହାନଗର ନିଗମ କମିସନର ଦ୍ବୟ କୋଭିଡ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିବା ସହ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଥିବା ନେଇ ସୂଚନା ଦେଇଥିଲେ। ଏହି ଅବସରରେ ପୁଲିସ ଡିଜି, ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ କମିସନର କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ସ୍ବରାଷ୍ଟ୍ର ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଉପସ୍ଥିତ ଥିଲେ। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ସଚିବ ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର