ମାନବାଧିକାର ସୁରକ୍ଷାକୁ ସରକାର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

ବିଶ୍ବ ମାନବାଧିକାର ଦିବସ

ଭୁବନେଶ୍ବର: ଆଜିର ସମୟରେ ମାନବାଧିକାରର ବିଶେଷ ଗୁରୁତ୍ବ ରହିଛି। ସାର୍ବଜନୀନ ମାନବାଧିକାର ଘୋଷଣାନାମାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର ଦିଆଯାଇଛି। ରାଜ୍ୟ ସରକାର ମାନାବାଧିକାରର ସୁରକ୍ଷା ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ମହିଳା ସଶକ୍ତୀକରଣ ପାଇଁ ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଆମ ସ୍ବାଧୀନତା ସଂଗ୍ରାମ ମହାତ୍ମା ଗାନ୍ଧୀଙ୍କ ଅହିଂସା ଉପରେ ଆଧାରିତ ଥିଲା। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରାଗଲେ ମାନବାଧିକାର ସୁରକ୍ଷା ଦିଗରେ ଏହା ଏକପାଦ ଆଗେଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ରାଜ୍ୟ ମାନବାଧିକାର କମିସନ ପକ୍ଷରୁ ଜୟଦେବ ଭବନରେ ବିଶ୍ବ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର ପ୍ରତ୍ୟେକ ନାଗରିକ ଯେଭଳି କୌଣସି ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ବ୍ୟକ୍ତିର ସ୍ବାଧୀନତା ଓ ମର୍ଯ୍ୟାଦାକୁ ସୁରକ୍ଷିତ କରିପାରିଲେ ପରିବର୍ତ୍ତନ। ତେଣୁ ବୈଷମ୍ୟକିମ୍ବା ଅନ୍ୟ ଅବହେଳାର ଶିକାର ‌ହୋଇଥିବା ବ୍ୟକ୍ତିଙ୍କ ମାନବାଧିକାରର କିଭଳି ସୁରକ୍ଷା ହୋଇପାରିବ ସେଥିପାଇଁ ସମସ୍ତେ ଉତ୍ସର୍ଗୀକୃତ ଭାବେ ଆଗେଇ ଆସିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଲେ, ମାନବାଧିକାର ହେଉଛି ପ୍ରତ୍ୟେକ ବ୍ୟକ୍ତିର ପ୍ରାକୃତିକ ଅଧିକାର। ଦେଶ ତଥା ରାଜ୍ୟରେ ମାନବାଧିକାରର ସୁରକ୍ଷା ପାଇଁ କମିସନ ଗଠନ କରାଯାଇଛି। ‌ଦେଶରେ ଜାତୀୟ ମାନବାଧିକାର କମିସନ ରହିଥିବା ବେଳେ ଅନେକ ରାଜ୍ୟରେ କମିସନ କାର୍ଯ୍ୟ କରୁଛନ୍ତି। ମାତ୍ର କେତେକ ରାଜ୍ୟରେଏହି କମିସନ ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ତେବେ ଓଡ଼ିଶାରେ ଉଭୟ ଲୋକାୟୁକ୍ତ ଓ ମାନବାଧିକାର କମିସନ କାର୍ଯ୍ୟ କରୁଛି। ସୁଶାସନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ। ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ କହିଲେ, ଆଜିର ସମୟରେ ମାନବାଧିକାରର କ୍ଷେତ୍ର ବ୍ୟାପକ ହୋଇଛି। ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବାଣିଜ୍ୟ, ଅପରାଧ, ଦଣ୍ଡବିଧାନ ଭଳି କ୍ଷେତ୍ର ମାନବାଧିକାର ପରିସରଭୁକ୍ତ ହୋଇପାରିଛି। ତେବେ ଯେଉଁମାନେ ସ୍ବର ଉତ୍ତୋଳନ କରିପାରୁଛନ୍ତି କିମ୍ବା ଯେଉଁମାନେ କମିସନଙ୍କ ନିକଟରେ ପହଞ୍ଚି ପାରୁଛନ୍ତି ସେମାନଙ୍କର ମାନବାଧିକାର ପାଇଁ ପଦକ୍ଷେପ ନେବା ସମ୍ଭବ ହୋଇପାରୁଛି। ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ୧୩ହଜାରରୁ ଅଧିକ ମାମଲା ରହିଥିବା ବେଳେ ୬୧୪୪ ମାମଲାର ଫଇସଲା ହୋଇଛି। ସେହିପରି ଚଳିତବର୍ଷର ସମସ୍ତ ମାମଲା ଫଇସଲା ହୋଇଛି ବୋଲି ଜଷ୍ଟିସ୍ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିସନର ସଦସ୍ୟ ଜଷ୍ଟିସ୍ ରଘୁବୀର ଦାସ ଉପସ୍ଥିତ ଥିଲେ।

ଏହି ଅବସରରେ କମିସନର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ବି.କେ ମିଶ୍ର, ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ୍‌.ଏମ୍ ପଟ୍ଟନାୟକ, ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ଆର.ଏନ୍ ବହିଦାର, ପୂର୍ବତନ ସଦସ୍ୟ ବି.କେ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର