କଳିଙ୍ଗ ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ

୩୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ
ଡିସେମ୍ବର ସୁଦ୍ଧା ଦେଶର ପ୍ରଥମ ଇନ୍‌ଡୋର ଆଥ୍‌ଲେଟିକ୍ ଷ୍ଟାଡିୟମ୍
ଭାରତର ପୁରୁଷ ଓ ମହିଳା ହକି ଟିମ୍‌ର ଖେଳାଳିଙ୍କୁ ଭେଟିଲେ

ଭୁବନେଶ୍ବର : ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍ ଗସ୍ତ କରିଥିଲେ। ଏହି ଅବସରରେ ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍ ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଇନ୍‌ଡୋର ଆଥଲେଟିକ୍ ଷ୍ଟାଡିୟମ ହେଉଛି ଦେଶର ସର୍ବପ୍ରଥମ ଇନ୍‌ଡୋର ଆଥଲେଟିକ୍ ଷ୍ଟାଡିୟମ୍। ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆଥଲେଟ୍‌ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ୍‌ ଚାମ୍ପିଅନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଏହି ଷ୍ଟାଡିୟମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ୍‌ କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଖେଳାଳିମାନେ ବର୍ଷତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳିଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ଏହା ପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍ ସେଣ୍ଟରରେ ଆଇଟିଏଫ୍‌ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହା ଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍ କମ୍ପ୍ଲେକ୍ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍ସ ଷ୍ଟାଡିୟମ, ହକି ଏଚ୍‌ପିସି ବିଲ୍ଡିଂ ଓ କର୍ମଚାରୀମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି।

ଏହା ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳିମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ପରେ ଶ୍ରୀ ପଟ୍ଟନାୟକ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସମ୍ପର୍କରେ ପଚାରି ବୁଝିଥିଲେ। ହକି କ୍ରୀଡ଼ାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର