ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଛି। ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି। ଏଥିରେ ସମ୍ବାଦର ସଂପାଦକ ତଥା ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ।
ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ ସହଯୋଗ ପଲିସି, ତ୍ୱରିତ କ୍ଲିଅରାନ୍ସ ପାଇଁ ପଦକ୍ଷେପ ନିଆଯାଇଛି। କରୋନା ସମୟରେ ବି ରାଜ୍ୟକୁ ଆସିଛି ୧.୨୫ ଲକ୍ଷ କୋଟିର ନିବେଶ। ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ ପଲିସି ଭାବେ ପରିଗଣିତ। ବିଭିନ୍ନ ସେକ୍ଟରରେ ଥିବା ସୁଯୋଗ ଯୁବକମାନେ ନେବା ଜରୁରୀ। ମୁଖ୍ୟମନ୍ତ୍ରୀ ‘ଓୟୋ’ର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ ରିତେଶ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ। ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏହି ଅବସରରେ ସମ୍ବାଦର ସଂପାଦକ ତଥା ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଆ ଲୋକ ହୋଇ ସାରା ବିଶ୍ୱରେ ନାଁ କମେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅସିତ ତ୍ରିପାଠୀ ଆମ ପାଇଁ ନୂଆ ସଫଳତାର ପ୍ରମାଣ। ଏହି କାର୍ଯ୍ୟକ୍ରମ ଯୋଗୁଁ ନୂଆ ନୂଆ ପ୍ରତିଭାକୁ ଆମେ ପାଇଛୁ। ନୂଆ ପ୍ରତିଭା , ନୂଆ ଉଦ୍ୟୋଗ ବିଷୟରେ ଜାଣିବାକୁ ପାଇଛୁ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି ସେ କହିଛନ୍ତି । ଉତ୍କର୍ଷର ଉପାସକଙ୍କୁ ସାମ୍ନାକୁ ଆଣିବା ମିଡିଆର କାମ ବୋଲି ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବ୍ରାଣ୍ଡ ଓ ପ୍ରାଇଡ୍ ଓଡିଶା ଲୋକଙ୍କ ଅସ୍ଥିମଜ୍ଜାଗତ ଭାବେ ଅଛି । ଓଡ଼ିଆଙ୍କ ପାଇଁ ପ୍ରଭୁ ଜଗନ୍ନାଥ ସବୁଠୁ ବଡ଼ ବ୍ରାଣ୍ଡ। ଓଡିଆ ଲୋକମାନେ କୁଶଳୀ, ବୁଦ୍ଧଜୀବୀ ଓ ସଚ୍ଚୋଟ। ପେଟ୍ରୋକେମିକାଲକୁ ନେଇ ଓଡ଼ିଶାରେ ନୂଆ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ବ୍ୟବସ୍ଥା ସହଯୋଗୀ ହେଲେ ଭଲ ବାତାବରଣ ସୃଷ୍ଟି ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ErwQyvBXEAAsMxH.png)