କୃଷି ଓଡ଼ିଶାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ନୂଆ ପ୍ରଯୁକ୍ତି ସହ ଅର୍ଥକାରୀ ଫସଲକୁ ଗୁରୁତ୍ବ

ପ୍ରଦର୍ଶନୀରେ ସାମିଲ ୨୧୨ ଷ୍ଟଲ, ୫ ଚାଷୀ, ୫ ଏସଏଚଜି ପୁରସ୍କୃତ

ଭୁବନେଶ୍ବର : ପ୍ରଯୁକ୍ତି ହେଉଛି ବିକାଶର ଧାରା। କୃଷି କ୍ଷେତ୍ରରେ ପ୍ରଯୁକ୍ତିର ଆବଶ୍ୟକତା ରହିଛି। ଚାଷୀମାନେ ନୂତନ ପ୍ରଯୁକ୍ତିର ବ୍ୟବହାର ସହିତ ଅର୍ଥକାରୀ ଫସଲ କରନ୍ତୁ। ରାଜଧାନୀସ୍ଥିତ ବରମୁଣ୍ଡା ଖେଳ ପଡ଼ିଆରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଉପସ୍ଥିତ ଚାଷୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ କୃଷି-କୃଷକ ସଶକ୍ତୀକରଣ ବିଭାଗ ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଏବଂ ଇଣ୍ଡଷ୍ଟି (ଫିକି)ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର କୃଷି ମେଳାରେ ଚାଷୀମାନେ ପ୍ରଯୁକ୍ତିର ବ୍ୟବହାର ବିଷୟରେ ଜାଣିବା ସହିତ ରାଜ୍ୟର ଉନ୍ନତିରେ ଯୋଗଦାନ କରିପାରିବେ। କୃଷି କ୍ଷେତ୍ରରେ ଆଜି ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇ ପାରିଛି। ଦିନେ ଖାଦ୍ୟରେ ଅଭାବ ଥିବା ଓଡ଼ିଶା ଆଜି ବଳକା ରାଜ୍ୟ ହୋଇ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତଙ୍କୁ ଚାଉଳ ଯୋଗାଇ ପାରୁଛି। କାଳିଆ ଯୋଜନା ଦ୍ବାରା ଚାଷୀମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି। କୃଷି ଯାନ୍ତ୍ରିକୀକରଣ ଉପରେ ଗୁରୁତ୍ବ ଦେଇ ଫସଲ ଉତ୍ପାଦକତା ବଢ଼ାଇବା ଉପରେ ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପଣସ ମିସନ, ଛତୁ ମିସନ ସମେତ ସ୍ବତନ୍ତ୍ର ମିସନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ଗୁରୁତ୍ବ ଦିଆଯାଉଛି। ମିଲେଟ୍ ମିସନ ପାଇଁ ଆଜି ସମଗ୍ର ଦେଶରେ ଓଡ଼ିଶା ଆକର୍ଷଣର କେନ୍ଦ୍ର ପାଲଟିଛି। ଏହା ମିସନ ଶକ୍ତିର ସଦସ୍ୟାମାନଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୃଷକମାନଙ୍କ ଆୟ ବୃଦ୍ଧିରେ ଆନୁସଙ୍ଗିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଥିଲେ। ଦୁଇ ଦଶନ୍ଧି ମଧ୍ୟରେ ଚାଉଳରେ ଆତ୍ମନିର୍ଭରଶୀଳ ହେବା ପରେ ଓଡ଼ିଶା ମାଛ, ମାଂସ, ଅଣ୍ଡା ଏବଂ କ୍ଷୀର ଉତ୍ପାଦନରେ ସ୍ବାବଲମ୍ବୀ ହୋଇଛି। ବ୍ଲକସ୍ତରରେ କୃଷି ମେଳା ଆୟୋଜନର ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଚାଉଳରେ ବଳକା ଥିବା ଓଡ଼ିଶା କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ବିକାଶ, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ବୋଲି କହିଥିଲେ। ସରକାର ଏବେ କୃଷି ଯାନ୍ତ୍ରିକୀକରଣ, ଫସଲ ବିବିଧିକରଣ, କୃଷି ଉଦ୍ୟୋଗ, ପ୍ରାଣୀଧନ ଏବଂ ମତ୍ସ୍ୟଚାଷ ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି। ମିଲେଟ୍ ମିସନକୁ ୩୦ ଜିଲ୍ଲାରେ ସାମିଲ ସମ୍ପର୍କରେ ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି କହିଲେ, ୨୦୩୬ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନ ସ୍ଥିତି ତୁଳନାରେ ୫ ଗୁଣ ଅଧିକ ଅଭିବୃଦ୍ଧି ହାସଲ କରିବାକୁ ହେବ। ସେଥିପାଇଁ ରାଜ୍ୟର ୧୫ ଲକ୍ଷ ଚାଷୀଙ୍କୁ ମିସନ ପ୍ରକାରେ ବିଭିନ୍ନ ବିଭାଗର ସମନ୍ବୟରେ ତାଲିମ ଆବଶ୍ୟକ। ଚାଷୀମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଆଲୋଚନା ଚାଲିଥିବା ଜଣାଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗୀୟ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଶେଷରେ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧରୀ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ପ୍ରଫୁଲ୍ଲ ଖିଲ୍ଲ, କଳାହାଣ୍ଡିର ଯଶପାଲ ସାହୁ, ସମ୍ବଲପୁରର ସଦାଶିବ ଭୋଇ, ଗଞ୍ଜାମର ଦେସୁତୁ ଭଗବାନ, କଟକର ସୁବାସ ପାଲ ଏବଂ କୋରାପୁଟର ଅଗ୍ନି ଗଙ୍ଗାମା, କଳାହାଣ୍ଡିର ମାନସୀ ଏସଏଚଜି, ସମ୍ବଲପୁରର ମା’ ଶୁଭଲକ୍ଷ୍ମୀ, ଗଞ୍ଜାମ ଶେରଗଡ଼ର ଜଳେଶ୍ବର, କଟକ ଜିଲ୍ଲା ବାଙ୍କିର ଦୁଲଣପୁର ପ୍ରଡ୍ୟୁସର୍ସ ଅର୍ଗନାଇଜେସନ ଏସଏଚଜିଙ୍କୁ ପୁରସ୍କୃତ କରାଯାଇଛି। ଏହି ପ୍ରଦର୍ଶନୀରେ ୨୧୨ଟି ଷ୍ଟଲ ସ୍ଥାନ ପାଇଛି। ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିସନର ସୁରେଶ ବଶିଷ୍ଠ, ଜର୍ମାନୀ ଦୂତାବାସର ଖାଦ୍ୟ ଓ କୃଷି କାଉନସିଲର ଇଞ୍ଜେବୋର୍ଗ ବେୟର, ଡବ୍ଲୁଏଫପି କଣ୍ଟ୍ରି ଡାଇରେକ୍ଟର ଏଲିଜାବେଥ ଫୌଓର, ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚର ଡେଭଲପମେଣ୍ଟର କଣ୍ଟ୍ରି ଡାଇରେକ୍ଟର ଉଲାକ ଡେମିରାଗ ଏବଂ ୟୁନାଇଟେଡ୍ ନେସନ ଏଗ୍ରିକଲଚର ଫୁଡ ଅର୍ଗନାଇଜେସନର ଅଫିସ ଇନଚାର୍ଜ କୋଣ୍ଡା ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର