କଳାହାଣ୍ଡିରେ ମିଶନ୍‌ ଶକ୍ତି ମହାସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ୧୩୪୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲା ଗସ୍ତ କରି ୯୧୦.୫୭ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୪୩୫.୮୨ କୋଟି ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ୭୬୮.୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେତ୍‌ ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭବାନୀପାଟଣାରେ ଆୟୋଜିତ ମିଶନ୍‌ ଶକ୍ତି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସହାୟତା ରାଶି ବଣ୍ଟନ କରିବା ସହ ଉପସ୍ଥିତ ମହିଳାମାନଙ୍କୁ ଉଦବୋଧନ ଦେଇଛନ୍ତି।ଏହି ମହାସମାବେଶରେ ୫୦,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦାନ କରିଥିଲେ।

ମହାସମାବେଶରେ ଉପସ୍ଥିତ ମହିଳାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ଆଜି କଳାହାଣ୍ଡିର ଯୁବପିଢି ଲାଗି ଦୁଇଟି ଘୋଷଣା କରିବାକୁ ଯାଉଛି। ପ୍ରଥମତଃ ଭବାନୀପାଟଣା ସରକାରୀ ଅଟୋନମସ୍‌ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ ଏବଂ ଦ୍ୱିତୀୟରେ ଭବାନୀପାଟଣା ସରକାରୀ ମହିଳା କଲେଜରେ ବିଜ୍ଞାନ ପାଠ୍ୟକ୍ରମ ଖୋଲାଯିବ। ଏଥିଲାଗି ଆବଶ୍ୟକ ଭିତ୍ତିଭୂମି ଲାଗି ୫ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏଥିସହ ମୁଖ୍ୟମନ୍ତ୍ରୀ ଉପସ୍ଥିତ ମହିଳାମାନଙ୍କୁ ଆଜିର କାର୍ଯ୍ୟକ୍ରମ ଲାଗି ଧନ୍ୟବାଦ ଜଣାଇବା ସହ ଆପଣମାନେ ଖୁସୀ ତ ବୋଲି ପ୍ରଶ୍ନ କରିଥିଲେ। ସମବେତ ମହିଳା ‘ହଁ’ ବୋଲି ଉତ୍ତର ଦେବାପରେ ସେ ମୁଁ ବି ଖୁସୀ ବୋଲି କହିଥିଲେ।

ମିଶନ୍‌ ଶକ୍ତି ମହାସମାବେଶରେ ୧୧,୧୨୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି ଦିଆଯିବା ସହ ୧୪ ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା। କାର୍ଯ୍ୟକ୍ରମ ପ୍ରରମ୍ଭରେ ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର