ଆର୍‌ଟିଓରେ ଦଲାଲରାଜକୁ ଛାଟ : ଅନ୍‌ଲାଇନ୍‌ରେ ଆଉ ୯ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଉ ଆରଟିଓରେ ଧାଡ଼ି ବାନ୍ଧିବାକୁ ପଡ଼ିବନି। ଘରେ ବସି ହୋଇ ପାରିବ ନୂଆ ଗାଡ଼ିର ପଞ୍ଜୀକରଣ ଠାରୁ ଆରମ୍ଭ କରି ପୁରୁଣା ଗାଡ଼ିର ପଞ୍ଜୀକରଣ, ନବୀକରଣ ଭଳି ୯ଟି ସେବା। ରାଜ୍ୟ ସରକାରଙ୍କର ‘୫-ଟି’ ବ୍ୟବସ୍ଥା ଅଧୀନରେ ଏଭଳି ଏକ କାଗଜ ବିହୀନ ବ୍ୟବସ୍ଥାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେକାର୍ପିତ କରିଛନ୍ତି।

ଏହି ନୂଆ ବ୍ୟବସ୍ଥାରେ ସେବା ମଧ୍ୟରେ ସ୍ୱୟଂଚାଳିତ ଯାନ ପଞ୍ଜୀକରଣ, ପରିବହନ ଅନୁମତିର ଅନୁମୋଦନ, ସାମଗ୍ରୀ ପରିବହନ ଅନୁମତିର ସ୍ବତଃ ଅନୁମୋଦନ, ଆନ୍ତଃରାଜ୍ୟ ବସ୍ ଚାଳନା ସ୍ୱତନ୍ତ୍ର ଅନୁମତି, ଅନ୍ତଃରାଜ୍ୟ ବସ୍ ଚାଳନା ସ୍ୱତନ୍ତ୍ର ଅନୁମତି, ଅନ୍ତର୍ଜାତୀୟ ଗାଡ଼ି ଚାଳନା ଅନୁମତି, ଉମଙ୍ଗ ମୋବାଇଲ ଆପ୍‌ରେ ଲର୍ଣ୍ଣର୍ସ ଲାଇସେନ୍ସ, ଭାରତବର୍ଷର ଯେ କୌଣସି ଆରଟିଓରେ ପଞ୍ଜୀକରଣର ନବୀକରଣ ଓ ଯେକୌଣସି ଆରଟିଓରେ ମାଲିକାନା ସ୍ଥାନାନ୍ତର ସମ୍ଭବ ହେବ।

ଏହି ବ୍ୟବସ୍ଥା ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ପେପର ଲେସ୍‌ ବ୍ୟବସ୍ଥାରେ ବାଧାରହିତ ସେବା ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ। ପୂର୍ବରୁ ଏଭଳି ବ୍ୟବସ୍ଥାକୁ ଲୋକମାନେ ପସନ୍ଦ କରିଛନ୍ତି। ଉମଙ୍ଗ ଆପ୍‌ରେ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରଦାନ କରିବାରେ ଓଡ଼ିଶା ଦେଶରେ ପ୍ରଥମ। ଏନ୍‌ଆଇସି ପ୍ଲାଟଫର୍ମ ଜରିଆରେ ଡିଜିଟାଲ ଦସ୍ତଖତ ବଳରେ କାଗଜପତ୍ର ଅପ୍‌ଲୋଡ୍‌ କରି ସ୍ବତଃନମ୍ବର ଜେନେ‌ରେଟ୍‌ କରିବା ଭଳି ବ୍ୟବସ୍ଥାରେ ଓଡ଼ିଶା ମଧ୍ୟ ପ୍ରଥମ। ଏହି ବ୍ୟବସ୍ଥାରେ ମାଲିକ ତା ଗାଡ଼ିର ପଞ୍ଜୀକରଣ ରାଜ୍ୟର ଯେ କୌଣସି ଆରଟିଓ ଅଫିସ୍‌ରେ କରିପାରିବ। ଲୋକମାନେ ଯେଭଳି ନିରନ୍ତର ସେବା ପାଇପାରିବେ ସେ ନେଇ ପରିବହନ ବିଭାଗ କର୍ମଚାରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରୋ ମୁଖ୍ୟମନ୍ତ୍ରୀଙ୍କର ଏହି ବ୍ୟବସ୍ଥାକୁ ପ୍ରସଂଶା କରିବା ସହ ଲୋକମାନେ ଏହି ସେବାକୁ କିଭଳି ସହଜରେ ପାଇପାରିବେ ସେ ନେଇ ବିଭାଗ ଚେଷ୍ଟା କରିବ ବୋଲି କହିଥିଲେ। ମୋ ସରକାର ବ୍ୟବସ୍ଥାରେ ମିଳୁଥିବା ଫିଡ୍‌ ବ୍ୟାକ୍‌କୁ ଆଧାର କରି ୫-ଟି ସଚିବ ଭି କେ ପାଣ୍ଡିଆନ୍‌ କହିଥିଲେ, ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଲୋକମାନେ ଗ୍ରହଣ କରୁଛନ୍ତି। ଏଥିରେ ଦୁର୍ନୀତି କମିବା ସହ ଅଯଥା ଝିନ୍‌ଝଟ୍‌ରୁ ମୁକ୍ତି ମିଳିପାରୁଛି।

ଭଚୁର୍ଆଲ୍‌ ମୋଡ୍‌ରେ ହୋଇଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏପିସି ରାଜ କୁମାର ଶର୍ମା, ଏନଆଇସି ଡିଜି ଡ. ନୀତା ବର୍ମା ଯୋଗ ଦେଇଥିଲେ। ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିବହନ କମିସନର ସଞ୍ଜୀବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର