୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଲୋ-ଭୋଲଟେଜ୍ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୧୮୦୦କୋଟି
୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରିଡ୍ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନ୍ସମିସନ୍ ଲାଇନ୍ ଲୋକାର୍ପିତ ହେଲା
ବିଦ୍ୟୁତ ଅପଚୟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର : ବିଦ୍ୟୁତ୍ ହେଉଛି ବିକାଶର ‌ଜୀବନରେଖା। ପାଣି ପରି ବିଦ୍ୟୁତ ମଧ୍ୟ ସମସ୍ତଙ୍କ ପାଇଁ ଖୁବ୍ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାର ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ୍‌ ସବ୍‌ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦କେଭି ଟ୍ରାନ୍ସମିସନ୍ ଲାଇନ୍ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‌‌ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ। ଏହି ୬ଟି ପ୍ରକଳ୍ପ ପାଇଁ ୪୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହଦ୍ବାରା କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଭାବେ ଉପକୃତ ହେବା ସହ କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ଉପକାର ପାଇବେ। ସେହିପରି ଜଳସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ବିଦ୍ୟୁତ ବଣ୍ଟନ ସୁଦୃଢ଼ୀକରଣ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟରେ ଲୋଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଓପିଟିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର