‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପୁରୀ ଦେଶରେ ପ୍ରଥମ

ପୁରୀ ସହରର ଅଢ଼େଇ ଲକ୍ଷ ଲୋକେ ହେବେ ଉପକୃତ
ବାର୍ଷିକ ୪ଶହ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକରୁ ମିଳିବ ମୁକ୍ତି
୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ମଡେଲ: ମୁଖ୍ୟମନ୍ତ୍ରୀ
ଆଉ ୧୬ ସହରରେ ମିଳିବ ଏହି ସୁବିଧା

ପୁରୀ : ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ତଥା ସୁଜଳ ପ୍ରକଳ୍ପ ଜରିଆରେ ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଭଳି ବିଶ୍ବର ବଡ଼ ବଡ଼ ସହରର ସୁବିଧା ପାଇପାରିବେ ପୁରୀବାସୀ। ଦେଶର ପ୍ରଥମ ସହର ଭାବେ ପୁରୀ ସହରରେ ସୋମବାର  ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ’ର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ‌ହେଲେ ପିଇବା ପାଣି ବୋତଲରୁ ବାର୍ଷିକ ସୃଷ୍ଟି ହେଉଥିବା ୪ଶହ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ଆବର୍ଜନାରୁ ପୁରୀ ସହର ମୁକ୍ତ ହୋଇପାରିବ। ପାଣି ଅପଚୟ ରୋକିବା ପାଇଁ ଘରେ ଘରେ ମିଟର ବ୍ୟବସ୍ଥା କରାଯାଇଥିବା ବେଳେ ମିସନ୍‌ ଶକ୍ତିର ମହିଳାମାନଙ୍କୁ ମିଟର ରିଡିଂ ଦାୟିତ୍ବରେ ନିୟୋଜିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୁରୀବାସୀଙ୍କ ସହଯୋଗ ପାଇଁ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି। ସବୁକ୍ଷେତ୍ରରେ ମହାପ୍ରଭୁଙ୍କ ଧାମ ଶ୍ରୀକ୍ଷେତ୍ର ଆଗରେ ରହିଛି। ଆଜିର ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହାଦ୍ବାରା ପୁରୀର ଜନସାଧାରଣ ସିଧାସଳଖ ଟ୍ୟାପରୁ ଉଚ୍ଚମାନର ପିଇବା ପାଣି ପାଇପାରିବେ। ପୂର୍ବଭଳି ପିଇବା ପାଣିକୁ ସଂରକ୍ଷିତ କରି ରଖିବା ଦରକାର ପଡ଼ିବ ନାହିଁ କିମ୍ବା ଫିଲ୍‌ଟର୍‌ କରିବାର ଆବଶ୍ୟକ ପଡ଼ିବନାହିଁ। ପୁରୀ ସହରର ପ୍ରାୟ ଅଢ଼େଇ ଲକ୍ଷ ଜନସାଧାରଣ ୨୪ ଘଣ୍ଟିଆ ପିଇବା ପାଣିର ସୁବିଧା ପାଇପାରିବେ। ଆଜିଠାରୁ ପୁରୀର ସବୁ ପରିବାରକୁ ଟ୍ୟାପରେ ପିଇବା ପାଣି ମିଳିବ। ବର୍ଷକୁ ଶ୍ରୀକ୍ଷେତ୍ର ପୁରୀ ବୁଲି ଆସୁଥିବା ପ୍ରାୟ ୨ କୋଟି ପର୍ଯ୍ୟଟକ ଏହାଦ୍ବାରା ଉପକୃତ ହୋଇପାରିବେ। ପିଇବା ପାଣି ପାଇଁ ଆଉ ‌ପର୍ଯ୍ୟଟକଙ୍କୁ ବୋତଲ ଧରି ବୁଲିବାକୁ ପଡ଼ିବନାହିଁ। ଏଥିପାଇଁ ବଡ଼ଦାଣ୍ଡ ସମେତ ପୁରୀ ସହରର ବିଭିନ୍ନ ସ୍ଥାନରେ ୪ଶହଟି ୱାଟର ଫାଉଣ୍ଟେନ୍‌ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁବେଳେ ଆଗରେ ରହୁଥିବା ମହାପ୍ରଭୁଙ୍କ କ୍ଷେତ୍ର ପୁରୀ ବି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ତଥା ସୁଜଳ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ଆମର ମେଟ୍ରୋ ସହରମାନଙ୍କରେ ବି ଏ ସୁବିଧା ନାହିଁ। ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଭଳି ବିଶ୍ବର ବଡ଼ବଡ଼ ସହର ତାଲିକାରେ ସାମିଲ ହୋଇପାରିଛି। ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୯ ମାସ ମଧ୍ୟରେ ପୁରୀର ଅଢ଼େଇ ଲକ୍ଷ ଲୋକଙ୍କ ପାଇଁ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା ରାଜ୍ୟ ସରକାରଙ୍କ ୫-ଟିର ଶ୍ରେଷ୍ଠ ମଡେଲ୍‌। ଭଲ ପିଇବା ପାଣି ପାଇଁ ରାଜ୍ୟ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି। ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୧୯ ମସିହା ମେ ମାସ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ଫନି ବାତ୍ୟା ପୁରୀରେ ସ୍ଥଳଭାଗ ଛୁଇଁଥିଲା। ମେ’ ୫ ତାରିଖ ଦିନ ସେ ପୁରୀରେ ପହଞ୍ଚିଥିଲେ। ପୁରୀର ଅବସ୍ଥା ଦେଖି ସେ ଗଭୀର ମର୍ମାହତ ହୋଇଥିଲେ। ସେହିଦିନ ହିଁ ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଆଗେଇ ଚାଲିଛି ଓ ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ। ସୁଜଳ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥୀ ଭାବେ ନିଯୁକ୍ତି ପାଇବାକୁ ଯାଉଥିବା ମିସନ ଶକ୍ତିର ମହିଳାମାନଙ୍କ ଗୁରୁଦାୟିତ୍ବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥ‌ିଲେ।

କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର କହିଥିଲେ ଯେ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା। ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ‌ସାରା ଦେଶ ତଥା ଓଡ଼ିଶାର ପ୍ରଥମ ସହର ଭାବେ ପୁରୀରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ରହିଥିଲା। ଯାହା ଆଜି ସାର୍ଥକ ହୋଇଛି। ନିକଟ ଭବିଷ୍ୟତରେ ସାରା ଓଡିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଶ୍ରୀ ଜେନା କହିଥିଲେ। ପ୍ରକଳ୍ପର ଉଦ୍‌ଘାଟନ ପୂର୍ବକ ପ୍ରଥମେ ନଗର ଉନ୍ନୟନ ମନ୍ତ୍ରୀ ଟ୍ୟାପରୁ ପାଣି ପିଇଥିଲେ। ପରେ ପୁରୀ ବଳିଆପଣ୍ଡାର ଦୁଇ ଜଣ ମହିଳା ଟ୍ୟାପ୍‌ରୁ ପାଣି ପିଇବା ସହ ଏହି ମହତକ୍ବାଂକ୍ଷୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ବାଗତ ଭାଷଣ ଦେଇଥିଲେ। ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ପି. କେ. ସ୍ବାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର