ଜଉଗଡ଼ ଐତିହ୍ୟ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଧୁମ୍‌ ମଚାଇଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, ଅଭିଜିତ୍‌ ମଜୁମ୍‌ଦାର

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଋଷିକୁଲ୍ୟା ନଦୀତଟ ପାଣ୍ଡିଆ ଗ୍ରାମ ନିକଟରେ ରହିଛି ଧ୍ବସ୍ତବିଧ୍ବସ୍ତ ଦୂର୍ଗ ‘ ଜଉଗଡ଼’। ଦୀର୍ଘ ୨୨୫୦ ବର୍ଷ ଐତିହ୍ୟକୁ ବହନ କରୁଛି ଏହି ବୌଦ୍ଧ କୀର୍ତ୍ତିରାଜି। ଜଉଗଡ଼ ଠାରେ ଠାରେ ରହିଛି ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଶିଳାଲେଖ। ଏହି ପ୍ରାଚୀନ ଐତହ୍ୟ ଓ ପର୍ଯ୍ୟଟନସ୍ଥଳର ପ୍ରଚାର ପ୍ରସାର ଲାଗି ଆରମ୍ଭ ହୋଇଛି ପ୍ରୟାସ। ଜଉଗଡ଼ ଉନ୍ନୟନ କମିଟି ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଜଉଗଡ଼ ଐତିହ୍ୟ ମହୋତ୍ସବ। ସୋମବାର ସନ୍ଧ୍ୟାରେ ମହୋତ୍ସବକୁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଜଉଗଡ଼ର ବିକାଶ ମୁଁ ଚାହେଁ। ମହୋତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଜଉଗଡ଼ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ବିକାଶ ଦିଗରେ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚିକିଟି ବିଧାୟିକା ଉଷା ଦେବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ଜଉଗଡ଼ ଉନ୍ନୟନ ପରିଷଦର ଅଧ୍ୟକ୍ଷା ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥିଙ୍କୁ ପୁ‌ଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଓ ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଅବ୍ୟବହିତ ପୂର୍ବରୁ ଜଉଗଡ଼ର ଐତିହ୍ୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ.ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଡ.ମନ୍ମଥ ପାଢୀ ମୁଖ୍ୟବକ୍ତା ଭାବେ ଯୋଗ‌ ଦେଇଥିଲେ।
 ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ପ୍ରିନ୍ସ୍‌ ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ହୋଇଥିଲା। ଏହାପରେ ଗଞ୍ଜାମର ଯୋଡ଼ିଶଙ୍ଖ, ରଣପା, ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ ହୋଇଥିଲା। ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ଥିଲା ଅଭିଜିତ୍‌ ମଜୁମ୍‌ଦାର ଓ ତାଙ୍କ ଟିମ୍‌ର ସଙ୍ଗୀତ ପରିବେଷଣ। ତେବେ ମହୋତ୍ସବ ଆୟୋଜନରେ କାଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ୨ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହାର ଦଶଗୁଣ ଭିଡ଼ ହୋଇଥିଲା।
ସମ୍ବନ୍ଧିତ ଖବର