‘ମୋ ବସ୍’ର ଅତ୍ୟାଧୁନିକ ୨ଟି ଡିପୋ ଲୋକାର୍ପିତ
ଓଟିଡିସିର ‘ନିମନ୍ତ୍ରଣ’ ରେସ୍ତୋରାଁ ଶୃଙ୍ଖଳ ଉଦ୍ଘାଟିତ
ପୁରୀ ଓ ସମ୍ବଲପୁରରେ ବି ଖୋଲିବ ‘ନିମନ୍ତ୍ରଣ’
ପୋଖରୀପୁଟରେ ପ୍ରତିଷ୍ଠା ହେଲା ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ
ଭୁବନେଶ୍ବର : ଓଡ଼ିଶାରେ ଗଡ଼ିଛି ୧୧୦ଟି ଅତ୍ୟାଧୁନିକ ବସ୍। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି) ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ଏଜି ଛକସ୍ଥିତ ଓଏସ୍ଆର୍ଟିସି ମୁଖ୍ୟ କାର୍ଯ୍ୟାଳୟରୁ ଏହି ଅତ୍ୟାଧୁନିକ ବସ୍ ସେବା ଆରମ୍ଭ ହୋଇଛି। ଯାତ୍ରୀଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା କରାଯାଇଛି। ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଆରାମଦାୟକ ସିଟ୍, ଆପାତ୍କାଳୀନ ବଟନ୍, ଭେଇକିଲ୍ ଟ୍ରାକିଂ ସିଷ୍ଟମ, ଅଗ୍ନିନିର୍ବାପକ ବ୍ୟବସ୍ଥା, ବସ୍ ମଧ୍ୟରେ ଯାତ୍ରୀଙ୍କୁ ବିଭିନ୍ନ ସୂଚନା ପ୍ରଦାନ ପାଇଁ ସିଷ୍ଟମ ଆଇଟିଏମ୍ଏସ୍ ଭଳି ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ସୁବିଧା ରହିଛି। ଏହି ବସ୍ଗୁଡ଼ିକ ଅନ୍ତଃରାଜ୍ୟ ବସ୍ ପରିବହନରେ ମଧ୍ୟ ନିୟୋଜିତ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍ ମଧ୍ୟରୁ ଶୁକ୍ରବାର ୧୧୦ଟି ଉଦ୍ଘାଟିତ ହୋଇଛି। ଅବଶିଷ୍ଟ ୭୦ଟି ବସ୍ ଖୁବଶୀଘ୍ର ଚଳାଚଳ କରିବ। ବର୍ତ୍ତମାନ ଓଏସ୍ଆରଟିସି ପକ୍ଷରୁ ୨୮ଟି ଜିଲ୍ଲାରେ ତଥା ୪୩ଟି ଅନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼କୁ ସଂଯୋଗ କରୁଛି। ଆଜି ଶୁଭାରମ୍ଭ ହୋଇଥିବା ୧୧୦ଟି ବସ୍ କ ଭଲ୍ଭୋ, ଏସି ଅଲଟ୍ରା ଡିଲକ୍ସ, ନନ୍-ଏସି ଡେଲକ୍ସ ତଥା ନନ୍-ଏସି ହାଇ କମ୍ଫଟ୍ ଶ୍ରେଣୀର ବୋଲି ଜଣାପଡ଼ିଛି। ସେହିପରି ରାଜଧାନୀର ପଟିଆ ଓ ଭଗବାନପୁରଠାରେ ‘ମୋ ବସ୍’ର ଦୁଇଟି ଡିପୋକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ପ୍ରଥମ କରି ନିର୍ମାଣ କରିଯାଇଥିବା ଏହି ଦୁଇ ଅତ୍ୟାଧୁନିକ ଡିପୋରେ ମେସିନ୍ ଜରିଆରେ ବସ୍ ପରିଷ୍କାର କରିବା ସହ ବସ୍ଗୁଡିକରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି।
ଅନ୍ୟପକ୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ଓଟିଡିସି(ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ପକ୍ଷରୁ ନିର୍ମିତ ରେସ୍ତୋରାଁ ‘ନିମନ୍ତ୍ରଣ’ର ଶୁଭ ଉଦ୍ଘାଟିତ ହୋଇଛି। ଓଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ଘାଟିତ ଏହି ରେସ୍ତୋରାଁରେ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଉପଲବ୍ଧ ହେବ। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ। ଓଟିଡିସିର ଏହି ରେସ୍ତୋରାଁ ଶୃଙ୍ଖଳରେ ଏହା ହେଉଛି ପ୍ରଥମ। ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ଓ ସମ୍ବଲପୁରରେ ମଧ୍ୟ ଏଭଳି ରେସ୍ତୋରାଁ ଖୋଲାଯିବ ବୋଲି ସୂଚନା ମିଳିଛି।
ଏହା ବ୍ୟତୀତ ଶୁକ୍ରବାର ଦିନ ପୋଖରୀପୁଟଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନବନିର୍ମିତ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନରେ ସମସ୍ତ ପ୍ରକାର ଅକ୍ଷମତାର ପରୀକ୍ଷା, ଚିକିତ୍ସା, ଗତିଶୀଳତାର ତାଲିମ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ଚିତ୍ରକଳା, ନୃତ୍ୟଗୀତ ତାଲିମ ତଥା ବୃତ୍ତିଗତ ଶିକ୍ଷା ଓ ବିଭିନ୍ନ ପ୍ରକାର ପରାମର୍ଶର ବନ୍ଦୋବସ୍ତ ହୋଇଛି। ପ୍ରତିଷ୍ଠାନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦ ଜଣ ଭିନ୍ନକ୍ଷମ ପିଲାଙ୍କର ରହଣିର ସୁବନ୍ଦୋବସ୍ତ କରାଯାଇଛି। ଏଠାରେ ପିଲାଙ୍କ ଅଭିଭାବକ ମଧ୍ୟ ଚିକିତ୍ସା କରାଇପାରିବେ। ଏହି କେନ୍ଦ୍ରରେ ଉନ୍ନତମାନର ଯନ୍ତ୍ରପାତିର ସୁବିଧା କରାଯାଇଛି।
ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରତାପ ଜେନା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।