ଭୁବନେଶ୍ୱର-କଟକରେ କୋଭିଡ୍ ନିୟମ ପାଳନ କଥା ଏବେ ଡିଜି ଦେଖିବେ
ବୈଠକରେ ଅସନ୍ତୋଷ ଝାଡ଼ିଲେ ମୁଖ୍ୟମନ୍ତ୍ରୀ

Advertisment

ଭୁବନେଶ୍ୱର : କୋଭିଡ ଜନିତ ଆର୍ଥକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ୍ ସ୍ଥିତି ପରିଚାଳନା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମନରେଗା ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ କିଭଳି ଗାଁ ଲୋକଙ୍କୁ ଅଧିକରୁ ଅଧିକ ରୋଜଗାର ଦିଆଯାଇପାରିବ, ତାହା ଏବେ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍। ବିଶେଷ କରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍‌ ଭାବରେ କାର୍ଯ୍ୟ କରିବା ଜିଲ୍ଲାପାଳଙ୍କର ସର୍ବୋଚ୍ଚ ପ୍ରାଥମିକତା। ସେହିଭଳି ଚାଷୀ, ମିସନ ଶକ୍ତିର ମା' ମାନେ, ଏମ୍‌ଏସ୍‌ଏମ୍‌ଇ ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ବି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭାରତର ପ୍ରଥମ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଓଡ଼ିଶାର ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଅପରିହାର୍ଯ୍ୟ ହୋଇପଡିଛି। ଏଣୁ ଜିଲ୍ଲାପାଳମାନେ ଏହା ଉପରେ ତୀକ୍ଷ୍ମ ନଜର ରଖିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨୫ ହଜାରରେ ପହଞ୍ଚିଥିବାରୁ ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ତେବେ ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ବର କଟକରେ କମିସନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଭୁବନେଶ୍ବର କଟକ କମିସନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିର୍ଦ୍ଦେଶକ ନିଜେ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ ମହାନିର୍ଦ୍ଦେଶକ, ଭୁବନେଶ୍ବର-କଟକର ପୁଲିସ କମିସନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାଜ୍ୟରେ ମୃତ୍ୟୁ ହାର କମ୍ ଥିବା ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ସ୍ବତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ବୈଠକ ସଂଚାଳନା କରିଥିଲେ।