ବିଧାନସଭା ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ବିରୋଧୀ

ଚିଠି ଲେଖିଲେ ବିଜେପି, କଂଗ୍ରେସ

ଭୁବନେଶ୍ବର : ବିଧାନସଭା ଅଚଳାବସ୍ଥା ଦୂର ପାଇଁ କଂଗ୍ରେସ ପରେ ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦ୍ବିତୀୟ ଥର ପାଇଁ ଚିଠି ଲେଖି ଗୃହରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସର୍ବଦଳୀୟ ବୈଠକ ଡାକି ଆଲୋଚନା ଜରିଆରେ ଏହି ସମସ୍ୟାର ସମାଧାନ ବାହାର କରିବାକୁ ଉଭୟ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ବିଜେପି ବିଧାୟକମାନେ ଲେଖିଛନ୍ତି କି ରାଜ୍ୟରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ିରହିଛି। ମଣ୍ଡିରେ ପଡ଼ିରହିଥିବା ଧାନକୁ ସରକାର କିଣିବା ପାଇଁ ଗତ ଫେବ୍ରୁଆରି ୨୬ ତାରିଖରେ ମନ୍ତ୍ରୀ ବିବୃତି ଦେବା ପରେ ବି କାର୍ଯ୍ୟକାରୀ ହୋଇନାହିଁ। ଚଳିତ ବଜେଟ୍‌ ଅଧିବେଶନରେ ଏହି ପ୍ରସଙ୍ଗରେ ଗୃହରେ ବାରମ୍ବାର ଆଲୋଚନା ଓ ମନ୍ତ୍ରୀ ଗୃହ ଭିତରେ ଦେଇଥିବା ପ୍ରତିଶ୍ରୁତି ଅସତ୍ୟ ପ୍ରମାଣିତ ହୋଇଛି। ଜଣେ ଦାୟିତ୍ବ ସମ୍ପନ୍ନ ବିଧାୟକ ଭାବେ ବିଜେପି ବିଧାୟକ ଅନୁଭବନ କରୁଛନ୍ତି କି ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ। ମାତ୍ର, ଆପଣ ଏବେସୁଦ୍ଧା ଗୃହକୁ ଆସୁନାହାନ୍ତି କି ଏଭଳି ଉଦବେଗଜନକ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି।

ଏପରି ଅପ୍ରୀତିକର ସ୍ଥିତି ଦୂର କରିବା ପାଇଁ ବିଧାନସଭା ପ୍ରକୋଷ୍ଠ, ଲୋକସେବା ଭବନ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଲୋଚନା କରି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆଜି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କହିଛନ୍ତି ଯେ ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ବାଚସ୍ପତି ବିଫଳ ହେଲେଣି। ଗଣତନ୍ତ୍ରରେ ଶାସକ ଦଳ ଗୃହ ମଧ୍ୟଭାଗରେ ପାଟିତୁଣ୍ଡ କରି ବିରୋଧୀ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ଆଶା କରାଯାଏ ନାହିଁ। ଯଦି ସମ୍ପୃକ୍ତ ବିଧାୟକଙ୍କ ଭୁଲ ଯୋଗୁ ସ୍ବାଧିକାର ଭଙ୍ଗ ହୋଇଛି ବୋଲି ବାଚସ୍ପତି ଅନୁଭବ କରୁଛନ୍ତି ତାହେଲେ ତାଙ୍କ ବିରୋଧରେ ବିଧାନସଭା କାର୍ଯ୍ୟବିଧି କାର୍ଯ୍ୟ ପରିଚାଳନା ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ। ଧାନ କିଣା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦ୍ବନ୍ଦ୍ବ ସୃଷ୍ଟି କରିଛି। ବିରୋଧୀ ବିଧାୟକଙ୍କ କ୍ଷମା ମାଗିବା ପ୍ରସଙ୍ଗରେ ଶାସକ ଦଳର ସଦସ୍ୟମାନେ ୪ ଦିନ ହେଲାଣି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଆସୁଛନ୍ତି। ଚାଷୀଙ୍କ ଭରସା ଯେପରି ନ ତୁଟିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାକୁ ଶ୍ରୀ ମିଶ୍ର ଚିଠିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର