ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ଏସ୍‌ସି ଏସ୍‌ଟି ଛାତ୍ରବୃତ୍ତି କମିବନି

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି(ଏସ୍‌ସି/ଏସ୍‌ଟି) ଛାତ୍ରବୃତ୍ତି ପରିମାଣ କମାଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ମାଟ୍ରିକ୍ ପରବର୍ତ୍ତୀ ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରଚଳିତ ହାରରେ ସେମାନେ ବୃତ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୩ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବୃତ୍ତି କମାଇବା ନେଇ ଜାରି ହୋଇଥିବା ବିଜ୍ଞପ୍ତିକୁ ସ୍ଥଗିତ ରଖିବା ସହ ଏ ସମ୍ପର୍କିତ ଫାଇଲ୍‌କୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରେ ଉଚ୍ଚଶିକ୍ଷା ପାଇଁ ବୃତ୍ତି ଦିଆଯାଉଛି। ବିଭିନ୍ନ ପାଠ୍ୟକ୍ରମ ପାଇଁ ବୃତ୍ତି ରାଶି ଭିନ୍ନ ଭିନ୍ନ ରହିଛି। ଏହି ବୃତ୍ତି ରାଶିକୁ କମାଇବା ପାଇଁ ଗତ ୩ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଏହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା। କରୋନା ସମୟରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସମସ୍ତେ ନିନ୍ଦା କରିବା ସହ ତୁରନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର