ବିଜେଡି ବିଧାୟକ ଦଳ ବୈଠକ : କୋଭିଡ୍‌ ମହାମାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ମାଗଣାରେ କୋଭିତ ଚିକିତ୍ସା ଯୋଗାଇବାରେ ଓଡ଼ିଶା ଏକ ମାତ୍ର ରାଜ୍ୟ
ଏମ୍‌ଏସ୍‌ପି ନେଇ ବିଜେଡି ସବୁବେଳେ ଲଢ଼େଇ ଜାରି ରଖିବ
କୃଷି ଆଇନର ତର୍ଜମା ପାଇଁ ବିଧାୟକ ସାଂସଦ ଓ ଚାଷୀଙ୍କୁ ନେଇ ଗଠନ ହେବ କମିଟି
ବୈଠକରେ ଉପସ୍ଥିତ ରହିଲେ ୫୧ ଜଣ ବିଧାୟକ

ଭୁବନେଶ୍ୱର : ଓଡ଼ିଶା ଦେଶରେ ଏକମାତ୍ର ରାଜ୍ୟ ଯେଉଁଠିକି ମାଗଣାରେ କୋଭିଡ୍ ଚିକିତ୍ସା କରାଯାଉଛି। ରାଜ୍ୟବାସୀଙ୍କ ସହଯୋଗ ଓ କରୋନା ଯୋଦ୍ଧାଙ୍କ ଅବିଶ୍ରାନ୍ତ କଠିନ ପରିଶ୍ରମ ଯୋଗୁଁ ରାଜ୍ୟରେ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଓଡ଼ିଶା ଦେଶରେ ରେକର୍ଡ଼ କରିଛି। ବିଧାନସଭା ମୌସୁମୀ ଅଧିବେଶନର ଅବ୍ୟବହିତ ସନ୍ଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତାର କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ। ଚାଷୀମାନଙ୍କ ସ୍ବାର୍ଥକୁ ସବୁବେଳେ ତାଙ୍କ ଦଳ ଅଗ୍ରାଧିକାର ଦେଇଆସିଛି। ସ୍ବାମୀନାଥନ୍‌ କମିଟି ଅନୁଯାୟୀ ଚାଷୀମାନଙ୍କୁ ସେମାନଙ୍କୁ ହକ୍‌ ପ୍ରଦାନ କରିବା ସହ କୃଷି ଉତ୍ପାଦର ଏମ୍‌ଏସ୍‌ପି ବ୍ୟବସ୍ଥା ଅକ୍ଷୁର୍ଣ୍ଣ ରଖିବାକୁ ଦଳ ସଂଗ୍ରାମ ଜାରି ରଖିବ। ଏହାସହିତ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ତର୍ଜମା କରିବା ପାଇଁ ଦଳର ବିଧାୟକ, ସାଂସଦ ଓ ପ୍ରତିଷ୍ଠିତ ଚାଷୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ବୈଠକରେ କୋଭିଡ ସମ୍ପର୍କରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୬ ମାସ ହେଲାଣି କୋଭିଡ ମହାମାରୀ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଯାହାକି ଆଗରୁ କେବେବି ଦେଖିବାକୁ ମିଳିନଥିଲା। ପ୍ରତ୍ୟେକ ଦିନ ଭାରତ ଲକ୍ଷାଧିକ ଲୋକଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ବିକାଶ ହାର ବିଯୁକ୍ତାତ୍ମକ ୨୩%କୁ ଖସିଛି। ହଜାର ହଜାର ଲୋକ ନିଯୁକ୍ତି ହରାଇଥିବାବେଳେ ଲକ୍ଷାଧିକ ବ୍ୟବସାୟ ସଂସ୍ଥା କ୍ଷତିଗ୍ରସ୍ତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ପ୍ରଥମ କରି କୋଭିଡ ହସ୍ପିଟାଲ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ସ୍‌, ଗ୍ରାମ ପଞ୍ଚାୟତ ସଶକ୍ତୀକରଣ କରିବାରେ ସଫଳତା ପାଇଛି। ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ସ୍‌ରେ ଆବାସଠୁ ଆରମ୍ଭ କରି ନମୁନା ପରୀକ୍ଷା, ପରିବହନ, ଚିକିତ୍ସା, ପ୍ଲାଜ୍‌ମା ଥେରାପି ଆଦି ବ୍ୟବସ୍ଥା ମାଗଣାରେ କରୋନା ରୋଗୀଙ୍କୁ ଯୋଗାଇ ଦିଆଯାଉଛି। ଦେଶରେ ଓଡ଼ିଶା ହେଉଛି ଗୋଟିଏ ରାଜ୍ୟ ଯେଉଁଠି କି ସମସ୍ତଙ୍କୁ ସାର୍ବଜନୀନ ମାଗଣା ସ୍ବାସ୍ଥ୍ୟ ସେବା ମିଳୁଛି। ବିଜେଡିର ଜୀବନବିନ୍ଦୁ ଏବଂ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ କରାଯିବା ସହ କରୋନାରେ ପୀଡ଼ିତ ରୋଗୀଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମହାମାରୀରୁ ସୁରକ୍ଷିତ ରହିବାକୁ ହେଲେ ମୁହଁରେ ମାସ୍କ୍‌ ପିନ୍ଧିବା, ହାତ ଧୋଇବା ଅଭ୍ୟାସ, ସାମାଜିକ ଦୂରତା ରକ୍ଷା ଉପରେ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। କୋଭିଡ ନିୟମ ଅନୁପାଳନ ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ଜାତୀୟ ନୂଆ ଶିକ୍ଷା ନୀତିର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଆଞ୍ଚଳିକ ଭାଷା ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ଆଦୌ ଗ୍ରହଣ କରାଯିବନି। ଯାହାକୁ ନୂଆ ଶିକ୍ଷାନୀତିକୁ ଯାଞ୍ଚ କରିବା ପାଇଁ ମୁଖ୍ୟ ମାପଦଣ୍ଡ ରଖାଯାଇଛି। ଏହାସହିତ ଏହି ଶିକ୍ଷାନୀତିରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ କେତେ ସୁବିଧା ସୁଯୋଗ ମିଳିବ ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ।

ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ନେଇ ଦଳର ଆଭିମୁଖ୍ୟ ସମ୍ପର୍କରେ ଜଣାଇ ସେ କହିଛନ୍ତି, କୃଷି ବିଲ୍‌ ଉପରେ ସଂସଦର ଉଭୟ ଗୃହରେ ବିଜେଡି ଉଦବେଗ ପ୍ରକାଶ କରିଥିଲା। ଏହାକୁ ସଂସଦୀୟ କମିଟିକୁ ପଠାଇବାକୁ ଦଳ ଦୃଢ଼ ଦାବି ରଖିଥିଲା। ଯାହାବି ହେଉଯାଉ କୃଷକ ବର୍ଗ ଯେପରି କ୍ଷତିରେ ନ ରହିବେ ସେଦିଗରେ ବିଜେଡି ଉଦ୍ୟମ ଜାରି ରଖିବ। କୋଭିଡ୍‌ ଲକ୍‌ଡାଉନ୍‌ କଟକଣା ହଟିବା ପରେ ପୁନର୍ବାର ଶିଳ୍ପ ଓ କଳ କାରଖାନା ଚାଲୁ ହୋଇଛି। ଏହାଦ୍ବାରା ବିଦ୍ୟୁତ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ମନରେଗା ଯୋଜନାରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯିବା ସହ ଚାଷୀଙ୍କୁ ସୁବିଧାରେ ଋଣ, ମହିଳା ସ୍ବୟଂସହାୟକ ଗୋଷ୍ଠୀ, ଓ ଏମଏସ୍‌ଏମ୍‌ଇମାନଙ୍କୁ ପୁଣି ଥରେ ଆର୍ଥିକ ପ୍ରୋତ୍ସାହନ ଦେଇ ରାଜ୍ୟ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସରକାର ଉଦ୍ୟମ କରିପାରିଛନ୍ତି।

କରୋନା ଲଢ଼େଇରେ ରାଜ୍ୟର କରୋନା ଯୋଦ୍ଧାମାନଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାସଂଗ୍ରାମରେ ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ସହଯୋଗକୁ ମଧ୍ୟ କେହି ବି ଭୁଲିବେ ନାହିଁ। ମୌସୁମୀ ଅଧିବେଶନରେ ବିରୋଧୀ ଯେଉଁସବୁ ଗଠନମୂଳକ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ସେସବୁ ପ୍ରସଙ୍ଗରେ ଗୃହରେ ଉତ୍ତର ରଖାଯିବ ବୋଲି ଶ୍ରୀ ପଟ୍ଟନାୟକ ବିଧାୟକ ଦଳ ବୈଠକରେ କହିଥିଲେ। ଭିଡିଓ କନଫରେନ୍‌ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ ହୋଇଥିବାବେଳେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠ ଓ କନଫରେନ୍‌ସ ହଲରେ ମୋଟ ୫୧ ଜଣ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର