ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ। ରାଜ୍ୟର ସବୁ ବର୍ଗର ଲୋକ କିପରି ଉନ୍ନତମାନର ସ୍ବାସ୍ଥ୍ୟସେବା ସୁବିଧାରେ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦ‌କ୍ଷେପ ନେଉଛନ୍ତି ବୋଲି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ, ସାମୂହିକ ଟୀକାକରଣ, ପିଲାଙ୍କୁ ପୃଷ୍ଟିକର ଖାଦ୍ୟ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କୋଭିଡ୍‌ ମହାମାରୀ ବେଳେ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବା ସହ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇଛନ୍ତି ରାଜ୍ୟ ସରକାର। ବିଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପିଜି ଇନଷ୍ଟିଚ୍ୟୁଟ୍‌ ସ୍ଥାପନ ହେବା ଫଳରେ ରାଜ୍ୟରୁ ପ୍ରତିବର୍ଷ ଉତ୍ତୀର୍ଣ୍ଣ ହେଉଥିବା ୩୦୦ ଡାକ୍ତରଙ୍କ ସଂଖ୍ୟା ଆଜି ୨୫୦୦ରେ ପହଞ୍ଚିଛି। ବିଗତ ୫ ବର୍ଷ ମଧ୍ୟରେ ୪ ହଜାର ଡାକ୍ତର, ୯ ହଜାରରୁ ଅଧିକ ନର୍ସଙ୍କ ସମେତ ଫାର୍ମାସିଷ୍ଟ, ଟେକ୍ନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଞ୍ଜୀବନୀ ପାଲଟିଛି ବିଏସ୍‌କେୱାଇ
୬ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପିଜି ପ୍ରତିଷ୍ଠାନ ସ୍ଥାପନ

ରୋଗୀ ସେବା କ୍ଷେତ୍ରରେ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇ ଆମ୍ବୁଲାନ୍ସ ପହଞ୍ଚିବା ସମୟକୁ ୨୦ ମିନିଟ୍‌କୁ ହ୍ରାସ କରାଯାଇପାରିଛି। ଆମ ହସ୍ପିଟାଲ୍‌ ଯୋଜନାରେ ଚଳିତ ବର୍ଷ ୭୩ଟି ହସ୍ପିଟାଲର ରୂପାନ୍ତରଣ କରାଯିବା ସହ ଆଗାମୀ ୫ ବର୍ଷରେ ୧୮୫୮ଟି ହସ୍ପିଟାଲର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ରାଜ୍ୟର ପାଖାପାଖି ୧ କୋଟି ପରିବାର ପାଇଁ ସଞ୍ଜୀବନୀ ପାଲଟିଛି। ବିଏସ୍‌କେୱାଇ କାର୍ଡଧାରୀ ପ୍ରତ୍ୟେକ ପରିବାରର ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରହିଛି। ଏହି କାର୍ଡ଼ ଜରିଆରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ରୁ ଅଧିକ ବେସରକାରୀ ହସ୍ପିଟାଲରେ ନିଃଶୁଳ୍କ ଚିକିତ୍ସା ମିଳିପାରୁଛି। ସ୍ୱାସ୍ଥ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାୟୁସେବା ଆଉ ଏକ ଉଦାହରଣ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।