ମହାକାଳପଡାରେ ୨୪୧ କୋଟିର ଜଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ୨୦୦ ଗାଁର ଲୋକେ ପାଇବେ ମଧୁର ପାଣି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର  ମହାକାଳପଡା ଓ ମାର୍ଶାଘାଇ ବ୍ଲକର  ଲୁଣି ଅଞ୍ଚଳରେ ବାସ କରୁଥିବା ଲୋକେ ଏଣିକି  ବିଶୁଦ୍ଧ ମଧୁର ଜଳ ପାଇପାରିବେ । ଏହି ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ମଧୁର ଜଳ ଯୋଗାଇ ଦେବା ପାଇଁ ଆଜି ମହାକାଳପଡାର ସରୁମୁହିଁ ଠାରେ ‘ବସୁଧା’ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨୦୦ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ।

ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିକାଶକୁ ବିଜୁ ଜନତା ଦଳ ସବୁ ବେଳେ ଗୁରୁତ୍ବ ଦେଇ ଆସିଛି। ପ୍ରକଳ୍ପ ଦ୍ବାରା ଏ ଅଞ୍ଚଳର ପାନୀୟ ଜଳ ସମସ୍ୟା ଦୂର ହେବ। ଏଥିସହ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପ୍ରଶ୍ନ କରିଥିଲେ, ଆପଣମାନେ ଜଳ ପ୍ରକଳ୍ପ ପ୍ରତିଷ୍ଠା ନେଇ ଖୁସୀ ତ? ମହାକାଳପଡ଼ାରେ ରିଭର ପୋର୍ଟ ପ୍ରତିଷ୍ଠା ହେବାର ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପ୍ରତାପ ଦେଓ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ କିଶୋର ତରାଇ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସଭା ପରିଚାଳନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଗୁଁ ଲୁଣି ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଭୋଗି ଆସୁଥିବା ପାନୀୟ ଜଳ ସମସ୍ୟା ଦୂର ହୋଇ ପାରିବ ବୋଲି କହିଥିଲେ।

ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ  । ଏହି ଅଞ୍ଚଳର ବାସିନ୍ଦାଙ୍କୁ ବସୁଧା ପ୍ରକଳ୍ପ ଅନୁଯାୟୀ, ପ୍ରତିଦିନ ୭୦ ଲିଟର ପାଣି ଯୋଗାଇ ଦିଆଯିବ । ଏହାସହ ପଞ୍ଚାୟତରାଜ  ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ । ଜଳ ପ୍ରକଳ୍ପର ଭିତିପ୍ରସ୍ଥର କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର