୧୮ ମାସରେ ସରିବ କାମ, ଖର୍ଚ୍ଚ ହେବ ୩୩୧ କୋଟି
ସମ୍ବର୍ଦ୍ଧିତ ହେଲେ ୧୦୮ ଜମିଦାତା, ୧୮ ମଠ ମହନ୍ତ
ପୁରୀ : ଶ୍ରୀମନ୍ଦିର ଇତିହାସରେ ବୁଧବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବୁଧବାର ଦିନ ଭିତ୍ତିପ୍ରସ୍ତର ପଡ଼ିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତିନିଦିନ ଧରି ଚାଲିଥିବା ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇଛି। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ଟି ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଛି। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ରୁପା ସ୍ମୃତିଫଳକ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଶିରି କପଡ଼ା, ଫୁଲ, ତୁଳସୀ, ନିର୍ମାଲ୍ୟ, ରଥ କାଠ, ରଥ ଦଉଡ଼ି, ଶରଧାବାଲିର ବାଲି ଆଦି ଦେଇ ସମ୍ମାନିତ କରାଯାଇଛି।
ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୨୦୧୯ ଅକ୍ଟୋବର ୧୯ରେ ଏହା ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିଲା।
/sambad/media/post_attachments/wp-content/uploads/2021/11/sri.jpg)
ଏଥିରେ ଶ୍ରୀମନ୍ଦିର ଐତିହ୍ୟ କରିଡର୍, ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉନ୍ନତୀକରଣ ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏ ଭିତରେ ଶ୍ରୀସେତୁ, ମାର୍କେଟ୍ କମ୍ପ୍ଲେକ୍ସ ଆଦି କାମ ଆରମ୍ଭ ହୋଇସାରିଛି। ବାକି କାମ ପର୍ଯ୍ୟାୟକ୍ରମେ ଆରମ୍ଭ ହେବାକୁ ଥିବାବେଳେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ(ଶ୍ରୀମନ୍ଦିର ଐତିହ୍ୟ କରିଡର)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି ସାରା ବିଶ୍ବରେ ଥିବା ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଓଡ଼ିଶାବାସୀଙ୍କ ପାଇଁ ଏକ ପବିତ୍ର ଦିନ। ଏହା ସଦା ସ୍ମରଣୀୟ ରହିବ।
ପୁଲିସ ପଡ଼ିଆରେ ହେଲିକପ୍ଟରରୁ ଅବତରଣ ପରେ କାର୍ରେ ବୁଧବାର ପୂର୍ବାହ୍ଣ ୧୦ଟାରେ ମୁଖ୍ୟମନ୍ତ୍ରୀ ଦୋଳବେଦି କୋଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆୟୋଜିତ ମହାଯଜ୍ଞ ସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଯଜ୍ଞସ୍ଥଳରେ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମିନିଏଚର୍(ପ୍ରକଳ୍ପର ଛୋଟ ଆକୃତିର ପ୍ରତିକୃତି) ବୁଲି ଦେଖିଥିଲେ। ଶିଳାନ୍ୟାସ ପାଇଁ ଥିବା ଶିଳାରେ ସିନ୍ଦୂର ଓ ଚନ୍ଦନ ଲଗାଇ ଶୁଭ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ପରିଧିରେ ଜମି, ଘର ହରାଇଥିବା ମଠ ମହନ୍ତ, ବ୍ୟକ୍ତିଗତ ଘରର ଜମି ମାଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2021/11/srimandir-c2.jpg)
ଶ୍ରୀମନ୍ଦିରର ପୂର୍ବଦିଗ ଐଶାନ୍ୟ କୋଣ ଲଙ୍ଗୁଳି ମଠ ନିକଟରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳା ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ଶିଳାନ୍ୟାସ ସ୍ଥଳରେ ଉପସ୍ଥିତ ଥିଲେ। ମୁଖ୍ୟ ଆଚାର୍ଯ୍ୟଙ୍କ ସହ ୩୨ଜଣ ବ୍ରାହ୍ମଣ ଏହି ପୂଜାକାର୍ଯ୍ୟ ସଂପନ୍ନ କରିଥିଲେ। ପତିତପାବନଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରି ଯାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/11/sri3.jpg)
ପ୍ରକଳ୍ପର ରୂପରେଖ ଅନୁଯାୟୀ, ଐତିହ୍ୟ କରିଡରର ପୂର୍ବ ପାର୍ଶ୍ବରେ ବିଶାଳ ଖୋଲା ସ୍ଥାନ ରହିବ। ଏହା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରାଠୁ ନେଇ ବିଭିନ୍ନ ପର୍ବପର୍ବାଣୀ ସ୍ବଚ୍ଛନ୍ଦରେ ଆୟୋଜନ କରାଯାଇପାରିବ। ଫଳସ୍ବରୂପ ବହୁ ସଂଖ୍ୟାରେ ଭକ୍ତ ଏହା ମଧ୍ୟରେ ଉପସ୍ଥିତ ରହି ସୁରକ୍ଷିତ ଓ ସୁବିଧାରେ ମହାପ୍ରଭୁଙ୍କ ଉତ୍ସବ ଓ ଯାନିଯାତ୍ରା ଦେଖିପାରିବେ। ଐତିହ୍ୟ କରିଡର୍ ମଧ୍ୟରେ ଆସୁଥିବା ୨୦ ଏକରରୁ ପ୍ରାୟ ୧୮ ଏକର ତଥା ୯୦ ପ୍ରତିଶତ ଖୋଲା ଓ ସବୁଜ ବଳୟ ଦ୍ବାରା ଆଚ୍ଛାଦିତ ହେବ। ୭୫ ମିଟର ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ମଧ୍ୟରେ ମଠ ମନ୍ଦିରର ବିକାଶ କରାଯିବ। ଏହି ପରିସରରେ ଆସୁଥିବା ସମସ୍ତ ମଠକୁ କଳିଙ୍ଗ କଳା କୌଶଳ ଶୈଳୀରେ ବିକାଶ କରାଯିବ। ମିନି କ୍ଲକ୍ରୁମ୍, ସୂଚନା ଓ ଦାନ କେନ୍ଦ୍ର, ଆଶ୍ରୟ ଘର, ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ, ସେବାୟତଙ୍କ ଶୌଚାଳୟ, ପୁଲିସ ସେବା କେନ୍ଦ୍ର, ଏଟିଏମ, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ ରହିବ। ଏ ବାବଦକୁ ପ୍ରାୟ ୩୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ୧୮ ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ଭିତରେ ପ୍ରାରମ୍ଭିକ ପର୍ବ ବି ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗାଯାଇ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ୧୮ ମାସ ଭିତରେ ଏହି ପ୍ରକଳ୍ପ ପୂର୍ଣ୍ଣରୂପ ନେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/srimandir-c.jpg)