ବିଶ୍ବସ୍ତରୀୟ କର୍କଟ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲରେ ରହିବ ୭୫୦ ଶଯ୍ୟା

ପାଲିଆଟିଭ୍ କେୟାରରେ ଅସ୍ଥିମଜ୍ଜା ପ୍ରତିରୋପଣ ସୁବିଧା
ବାଗ୍‌ଚୀ ଦମ୍ପତିଙ୍କ ଜନସେବା ଓଡ଼ିଶାକୁ ଅନୁପ୍ରେରିତ କରିବ

ଭୁବନେଶ୍ବର : ରାଜ୍ୟରେ ବହୁପ୍ରତୀକ୍ଷିତ ବିଶ୍ବସ୍ତରୀୟ କର୍କଟ ହସ୍ପିଟାଲର ଆଜି ମୂଳଦୁଆ ପଡ଼ିଛି। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଇନ୍‌ଫୋଭ୍ୟାଲିରେ ହେବାକୁ ଥିବା ୭୫୦ ଶଯ୍ୟା ବିଶିଷ୍ଟ କର୍କଟ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ଏବଂ ୧୧୦ ଶଯ୍ୟା ବିଶିଷ୍ଟ ପାଲିଆଟିଭ୍ କେୟାର ପାଇଁ ଶିଳାନ୍ୟାସ କରିଛନ୍ତି। କର୍କଟ ହସ୍ପିଟାଲକୁ ଶ୍ରୀ ଶଙ୍କର ଫାଉଣ୍ଡେସନ୍ ଏବଂ ପାଲିଆଟିଭ୍ କେୟାରକୁ ବାଙ୍ଗାଲୋରସ୍ଥିତ ହସପିସ୍‌ ଫାଉଣ୍ଡେସନ୍ ପରିଚାଳନା କରିବେ। ଏହି ଦୁଇ କେନ୍ଦ୍ରର ନିର୍ମାଣ ପାଇଁ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥି‌‌ଲେ ଯେ ଏହି ଦୁଇ କେନ୍ଦ୍ରର ପ୍ରତିଷ୍ଠା ଫଳରେ ରାଜ୍ୟର ଗରିବ ଲୋକମାନେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇପାରିବେ। ଅତ୍ୟାଧୁନିକ ବୈଷୟିକ ସୁବିଧା ଥିବା ୭୫୦ଶଯ୍ୟା ବିଶିଷ୍ଟ କର୍କଟ ହସ୍ପିଟାଲକୁ ଶ୍ରୀ ଶଙ୍କର କ୍ୟାନସର ଫାଉଣ୍ଡେସନ୍‌ ଡା. ଶ୍ରୀନାଥଙ୍କ ନେତୃତ୍ବରେ ପରିଚାଳନା କରିବ। ଆଗାମୀ ଦିନରେ ବିଶ୍ବସ୍ତରରେ କାର୍ଯ୍ୟରତ କର୍କଟ ରୋଗ ବିଶେଷଜ୍ଞମାନଙ୍କୁ ଲୋକଙ୍କ ସେବା କରିବା ଲାଗି ଏହା ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଆଶା। ଏହା କ୍ରସ୍ ସବ୍‌ସିଡି ମଡେଲରେ କାର୍ଯ୍ୟ କରିବ।

ସେହିପରି ବା‌ଙ୍ଗାଲୋରସ୍ଥିତ ହସପିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା କିଶୋର ରାଓ ଓ ଗୁରମିତ ରନ୍ଧାୱା ‘କରୁଣାଶ୍ରୟ’ ଦ୍ବାରା ବିଗତ ୨୫ବର୍ଷ ଧରି ଲୋକଙ୍କ ସେବା କରିଆସୁଛନ୍ତି। ଏହି ସଂସ୍ଥା ଜରିଆରେ ରାଜ୍ୟରେ ବିଶ୍ବସ୍ତରୀୟ ପାଲିଆଟିଭ୍ କେୟାର ପ୍ରତିଷ୍ଠା ସହିତ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ସେବା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ବିଶ୍ବସ୍ତରୀୟ କର୍କଟ କେନ୍ଦ୍ର ସ୍ଥାପନ ପାଇଁ ସହାୟତାର ହାତ ବଢ଼ାଇଥିବା ବାଗ୍‌ଚୀ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୁହିଁଙ୍କ ଜନସେବା ଓଡ଼ିଶାକୁ ଅନୁପ୍ରେରିତ କରିବା ସହିତ ସେମାନଙ୍କ ସହାୟତାକୁ ଲୋକମାନେ ମନେ ରଖିବେ। ତେବେ ଏହି ଦୁଇ କେନ୍ଦ୍ର ଯେପରି ଶୀଘ୍ର କାର୍ଯ୍ୟକ୍ଷମ ‌ହୋଇପାରିବ ଏଥିପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଡା.ଶ୍ରୀନାଥ କହିଥି‌ଲେ ଏହି ହସ୍ପିଟାଲରେ ସମସ୍ତ ପ୍ରକାର କର୍କଟ ରୋଗର ସେବା ଉପଲବ୍ଧ ହେବ। ଏପରିକି ଅସ୍ଥିମଜ୍ଜା ପ୍ରତିରୋପଣ ବା ବୋନ୍‌ମ୍ୟାରୋ ଟ୍ରନ୍‌ସପ୍ଲାଣ୍ଟର ମଧ୍ୟ ସୁବିଧା ରହିବ। ହସ୍ପିଟାଲରେ କର୍କଟ ରୋଗ ଉପରେ ପିଜି ଟ୍ରେନିଂ ମଧ୍ୟ ଉପଲବ୍ଧ ହେବ ବୋଲି ସେ କହିଥିଲେ। ସେହିପରି ‘କରୁଣାଶ୍ରୟ’ର ଡା.ଗୁରୁମିତ ରନ୍ଧୱା କହିଥିଲେ, ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ପାଲିଆଟିଭ୍ କେୟାର ବିଶ୍ବର ଏକ ଅଗ୍ରଣୀ କେନ୍ଦ୍ର ପାଲଟିବ। ଆସନ୍ତା ୫ବର୍ଷରେ ଆଦିବାସୀ ଯୁବତୀଙ୍କୁ ମିଶାଇ ୨୫ହଜାର ଯୁବପିଢ଼ିଙ୍କୁ ତାଲିମ ଦିଆଯିବ। ଗତ ୨୬ବର୍ଷ ଭିତରେ ୨୬ହଜାରରୁ ଅଧିକ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବାରେ ‘କରୁଣାଶ୍ରୟ’ର ଅଭିଜ୍ଞତା ରହିଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଦୁଇ କେନ୍ଦ୍ରର ପ୍ରତିଷ୍ଠା ପାଇଁ ସହାୟତାର ହାତ ବଢ଼ାଇଥିବା ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତ ବାଗ୍‌ଚୀ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ରାଜ୍ୟରେ ଟାଟା ଟ୍ରଷ୍ଟ ସହାୟତାରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ଓଡ଼ିଶା କର୍କଟ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା। ହେଲେ ଏହା ହସ୍ପିଟାଲର ରୂପ ନେଇପାରି ନ ଥିଲା। ଶିଳାନ୍ୟାସର କିଛିମାସ ପରେ ଟାଟା ଟ୍ରଷ୍ଟ ଏଥିରୁ ଓହରି ଯାଇଥିଲା।

ସମ୍ବନ୍ଧିତ ଖବର