ଭୁବନେଶ୍ବର: ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ୧୯୯୦ ଦଶନ୍ଧିରେ ରାଜ୍ୟର ମହିଳାଙ୍କୁ ରାଜନୈତିକ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଥିଲା। ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ନିକଟରେ ବିଧାନସଭାରେ ସର୍ବସମ୍ମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପରିପ୍ରେକ୍ଷୀରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆଜି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଛନ୍ତିି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ୧୯୯୦ ଦଶନ୍ଧିର ଆଦ୍ୟ କାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଉଭୟ ପଞ୍ଚାୟତ ଓ ପୌର ସଂସ୍ଥାମାନଙ୍କରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଉଭୟ ଲିଙ୍ଗଗତ ସମାନତା ଓ ଶ୍ରମ ପ୍ରତି ମର୍ଯ୍ୟାଦା ନିମନ୍ତେ ସେ ପୁରୁଷଙ୍କ ଭଳି ମହିଳାଙ୍କ ପାଇଁ ସମାନ ମଜୁରି ବ୍ୟବସ୍ଥା ପ୍ରଣୟନ କରିଥିଲେ। ମହିଳାଙ୍କ ପାଇଁ ଏଭଳି ବ୍ୟବସ୍ଥା ଲାଗୁ ହେବା ବି ଦେଶରେ ପ୍ରଥମ। ୨୦୧୧ରେ ରାଜ୍ୟ ସରକାର ମହିଳାଙ୍କ ପାଇଁ ଉଭୟ ପଞ୍ଚାୟତ ଓ ପୌର ସଂସ୍ଥାମାନଙ୍କରେ ରହିଥିବା ସଂରକ୍ଷଣ ହାର ୫୦ ପ୍ରତିଶତକୁ ବୃଦ୍ଧି କଲେ। ଏହା ଫଳରେ ବିକାଶର ମୁଖ୍ୟସ୍ରୋତରେ ମହିଳାଙ୍କୁ ସାମିଲ କରାଯାଇଛି। ଏପରି କି ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବା ନିମନ୍ତେ ସଂକଳ୍ପ ପାରିତ ହୋଇଛି। ମହିଳାଙ୍କ ସଶକ୍ତୀକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ଆଗେଇ ପାରିବ ନାହିଁ। ମା’, ଭଉଣୀ, କନ୍ୟାମାନଙ୍କୁ ନେଇ ଜନସଂଖ୍ୟାର ଅର୍ଧେକ ଭାଗ ଯଦି ନିଷ୍ପତ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ, ତେବେ ଯାଇ ଦେଶର ପ୍ରଗତି ତ୍ବରାନ୍ବିତ ହୋଇପାରିବ। ଏଣୁ, ପ୍ରଧାନମନ୍ତ୍ରୀ ନିଜେ ନେତୃତ୍ବ ନେଇ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏଥିପାଇଁ ତାଙ୍କ ସରକାର ପୂର୍ଣ୍ଣମାତ୍ରାରେ ସମର୍ଥନ କରିବ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ନିମନ୍ତେ ଏହା ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ହେବ ବୋଲି ବୋଲି ସେ କହିଛନ୍ତି।
ମୋଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର, ସଂସଦରେ ମହିଳା ବିଲ୍ ପାସ୍ ପାଇଁ ଅନୁରୋଧ କଲେ
/sambad/media/post_attachments/wp-content/uploads/2018/10/naveen-patnaik-75911-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)