ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶତାଧିକ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିବା ସହ ତା’ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଭୂତି ଭୂଷଣ ଜେନା, ଗଣେଶରାମ ସିଂହ ଖୁଣ୍ଟିଆ, ମୁକେଶ ମହାଲିଙ୍ଗ, କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଆଜି ବହୁ ଭିନ୍ନକ୍ଷମ, ବୃଦ୍ଧ ବ୍ୟକ୍ତି ସେମାନଙ୍କ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ହେଲା ସେମାନଙ୍କ ଅଭିଯୋଗ ସମାଧାନ ହେଉନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କ୍ଷୋଭ ପ୍ରକାଶ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ପାଇ ଆଶା ଓ ଭରସାର ସହ ଖୁସି ମନରେ ଫେରୁଥିବା ଦେଖିବାକୁ ମିଳିଥିଲା।
ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳମାନଙ୍କୁ ଫୋନ୍ କରି ଏହାର ତ୍ବରିତ ସମାଧାନ ପାଇଁ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଥିଲା।