ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ ଆଠ ବର୍ଷ ଧରି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହ ‘ମନ୍ କୀ ବାତ୍’ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ ହୋଇପାରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ। ଆଜି ପ୍ରଧାନମନ୍ତ୍ରୀ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହିତ କଥା ହୋଇ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ରଶ୍ମିତା ନିକଟରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ କାନୋଇଂ (ଜଳକ୍ରୀଡ଼ା) ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା କାୟାକିଙ୍ଗ୍ ଓ କାନୋଇଂ ଆସୋସିଏସନର ସହଯୋଗରେ ଜଗତପୁରର ସାଇ ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡ଼ିଶାର କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯାଉଛି। ରଶ୍ମିତା ମଧ୍ୟ ଜଗତପୁରରେ କାନୋଇଂ ପ୍ରଶିକ୍ଷଣ ପାଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନେକ ଦିନ ଧରି ଓଡ଼ିଶା କାୟାକିଙ୍ଗ୍ ଓ କାନୋଇଂ ଆସୋସିଏସନ୍ର ସଭାପତି ଥିଲେ। ବର୍ତ୍ତମାନ ସେ ଏହି ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ଅଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ଦୁଇ ଜଣ ବରିଷ୍ଠ ନାଗରିକ ତଥା ସମାଜସେବୀ ରାଜେନ୍ଦ୍ର ବାରିକ ଓ ବି.ବି. ମିଶ୍ର ଏବଂ ଶିଶୁ ବିହାର ଯୋଗ କେନ୍ଦ୍ରର ପ୍ରମୁଖ ବିଶ୍ୱନାଥ ନାୟକ, ଭାରତୀ ପ୍ରଧାନ ଓ ଏଲ୍.ଡି ସାହୁ ସମ୍ବର୍ଦ୍ଧିତ ହୋଇଥିଲେ। ଏହାସହ ମନ୍ଦିର କମିଟି, ମହିଳା ସଂଘ ଏବଂ ୱାର୍ଡ ନଂ-୬ର ଅନ୍ୟ ସମାଜସେବୀ ସଦସ୍ୟମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।