‘ମଧୁ ଆପ୍‌’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର/ଛତ୍ରପୁର: ଏଣିକି ଶ୍ରେଣୀଗୃହରେ ପଢ଼ାଯାଉଥିବା ପାଠକୁ ଭିଡିଓ ଦ୍ବାରା ଛାତ୍ରାଛାତ୍ରୀ ବୁଝିପାରିବେ। ଏଥିପାଇଁ ଆଜି ଭୁବନେଶ୍ବରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ନୂତନ ଭାବେ ବିକଶିତ ସ୍ବତନ୍ତ୍ର ‘ମଧୁ ଆପ୍’ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀ ଗୁଗଲ୍‌ ପ୍ଲେ-ଷ୍ଟୋର୍‌କୁ ଯାଇ ଏହି ଆପ୍ ଡାଉନ୍‌ଲୋଡ୍ କରିପାରିବେ। ବିଦ୍ୟାର୍ଥୀମାନେ ଏହି ଆପ୍‌ରେ ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ। ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହି ଆପ୍ ସହାୟକ ହେବ। ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢ଼ିପାରିବେ।

ଆଜି ଏହି ଆପ୍‌ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଛତ୍ରପୁର ଅନ୍‌ସ୍ଲୋ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପଦ୍ମନାଭ ନନ୍ଦ ଏବଂ ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ଶତପଥୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଓଡ଼ିଆ ଜାତି ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ତ୍ୟାଗ ବିଷୟରେ ଆଲୋଚନା କରି ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଛତ୍ରପୁରଠାରେ ଓସ୍ବାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂ‌ଯୋଜକ ବିନୀତା ସେନାପତି, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ର, ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମ ଅନୁସାରେ ମଧୁ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଓଡ଼ିଆ ମାଧ୍ୟମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିବୃଦ୍ଧିରେ ଏକ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ପଞ୍ଚମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମ ରହିବା ସହ ଦଶମ ଶ୍ରେଣୀ ଡ୍ରିମ୍‌ସ ପରୀକ୍ଷାର ୪ଟି ସେଟ୍‌ ପ୍ରଶ୍ନ ଓ ଉତ୍ତର ରହିଛି। ଏଥିରୁ ମାତୃଭାଷା ଆଧାରିତ ଭର୍ଚୁଆଲ୍‌ କ୍ଲାସ୍-ରୁମ୍ ଅନୁଭୂତି ପାଇପାରିବେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଅଭିଜ୍ଞ ତଥା ଆଗ୍ରହୀ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରା ଯାଉଥିବାର ଭିଡିଓ କ୍ଲାସ ରହିଛି। ଏଥି ସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ବିଷୟ ଅନୁସାରେ ରହିଛି। ପାଠ୍ୟକ୍ରମ ଶେଷ ହେବା ପରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି। ନିଜେ ପ୍ରଶ୍ନ ପଢ଼ି ତାର ଉତ୍ତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଜାଣିପାରିବେ। ଛାତ୍ରୀଛାତ୍ର ଅତିରିକ୍ତ କୋଚିଂ ନେବାର ଆବଶ୍ୟକତା ରହିବ ନାହିଁ। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ନେବା ପରେ ମୋ ଗେହ୍ଲାଝିଅ, ନିର୍ଭୟ କଢ଼ି, ପିଲାଟିଏ ଗଛଟିଏ, ସ୍ବୟଂସିଦ୍ଧା ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଗତ କିଛି ଦିନ ତଳେ ବିଦ୍ୟାଳୟରେ ପାଣିପିଆ ଘଣ୍ଟି ପ୍ରଚଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର