ଭୁବନେଶ୍ୱର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦ୍ଯାପନୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୪୪୨ କୋଟି ଟଙ୍କା ମୂଲ୍ୟର ୬୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ହଷ୍ଟେଲ ସୁବିଧା, ସଡକ ନିର୍ମାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ମଧ୍ୟରେ ୩୨ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବେଳାଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ରହିଛି।
ଏଥି ସହିତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି କବିସମ୍ରାଟଙ୍କ ବହୁମୂଲ୍ୟ ଅବଦାନ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ମାନଜନକ ‘ଉପେନ୍ଦ୍ର ଭଞ୍ଜ ଚେୟାର’ର ପୁନଃସ୍ଥାପନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ପୂର୍ବରୁ ଏହି ଚେୟାର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏହା ଦୀର୍ଘ ବର୍ଷ ଧରି ଅଚଳ ଥିଲା। ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷ ଠାରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବା ପାଇଁ ଘୋଷଣା କରିଛନ୍ତି। ଆସନ୍ତା ମଇ ୧୬ ତାରିଖରୁ କବି ସମ୍ରାଟଙ୍କ ଜୟନ୍ତୀ ୭ ଦିନ ବ୍ୟାପୀ ଉତ୍ସବ ଆକାରରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ସମୁଦ୍ର ଆଳତୀ କରିଥିଲେ। ପରେ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ପର୍ଯ୍ୟଟକ ଓ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଇତିହାସ ସବୁ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି ଓ ନୃତ୍ୟଗୀତର ସମ୍ଭାର। ଏଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ହେଉଛି କଳା, ସଂସ୍କୃତି ଓ ପର୍ଯ୍ୟଟନର ସମନ୍ୱୟ। ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗଙ୍କ ପାଇଁ ଅପାର ସୁଯୋଗର ଉତ୍ସବ । ଏହି ମହୋତ୍ସବ ଆମ କଳାକାର ଓ କାରିଗରମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ମଞ୍ଚ ପ୍ରଦାନ କରିଆସିଛି।
ଗଞ୍ଜାମ ଜିଲ୍ଲାବାସୀ ଜିଲ୍ଲାର ପ୍ରମୁଖ ବେଳାଭୂମି ଗୁଡ଼ିକୁ ବେଳାଭୂମି ମହୋତ୍ସବ ସଫେଇ ପଦଯାତ୍ରା ମାଧ୍ୟମରେ ସଫା କରି ରାଜ୍ୟକୁ ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡ଼ିଶା ବାର୍ତ୍ତା ପ୍ରଦାନ କରିଛନ୍ତି। ଏଥିପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସେ ପୁଣି କହିଥିଲେ, ଜିଲ୍ଲାର ପଟିସୋନପୁର ବେଳାଭୂମି, ଲଗାତାର ତୃତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ଅର୍ଜନ କରିଥିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଗୋପାଳପୁର ଓ ନୋଳିଆ ନୂଆଗାଁ ବେଳାଭୂମିକୁ ମଧ୍ୟ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହାଦ୍ୱାରା ବନ୍ଦରର ପଣ୍ୟପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍ ଟନ୍ ହେବ ଏବଂ ୫ ହଜାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ ହେବ । ଜିଲ୍ଲାର ବାହୁଦା ଠାରେ ୨୧, ୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ୍ ବନ୍ଦର ସ୍ଥାପନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ଆମର ବନ୍ଦରଭିତ୍ତିକ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ। ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାରେ ହାସଲ ହୋଇଥିବା ସଫଳତା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସଂସ୍କୃତି ଓ ଐତିହ୍ୟକୁ ସାଥିରେ ନେଇ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହେବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/30/529c3df7-db75-4de4-bbe6-9518bdd23099-2026-01-30-23-20-00.jpg)