ମାଲକାନଗିରି ଏନକାଉଣ୍ଟରରେ ସହିଦ ଯବାନ ଜୟରାମ କଓାସୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି:  ଦୀର୍ଘ ଦିନର ନିରବତା ପରେ ଲାଲଗଡରେ ପୁଣି ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ଜଣେ ଡିସିଏମ କ୍ୟାଡରର ମାଓବାଦୀ ପ୍ରାଣ ହରାଇ ଥିବା ବେଳେ ଜଣେ ଡିଭିଏଫ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବାୟୁସେନାର ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ଏହି ଏନକାଉଣ୍ଟରରେ ଅଧିକ ମାଓବାଦୀ ପ୍ରାଣ ହରାଇ ଥିବା ଆଶଙ୍କା କରି ଖଇରପୁଟ କଦମଗୁଡାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ମାଓବାଦୀଙ୍କ ବନ୍ଧୁକରୁ ୫ ରାଉଣ୍ଡ ଗୁଳି ଖାଇବା ପରେ ସହିଦ ହୋଇଛନ୍ତି ଡିଭିଏଫ୍ ବୀର ଯବାନ ଜୟରାମ କଓାସୀ । ଏନକାଉଣ୍ଟର ଚାଲିଥିବା  ସମୟରେ ଜୟରାମଙ୍କୁ ସୁରକ୍ଷା ଦେବାକୁ ଯାଇ କଭର ଫାୟାର କରିଥିଲେ ସାଥୀ ଯବାନ ରାମ ଦୁରୁଆ । ସେତେବେଳକୁ ତାଙ୍କ ଦେହକୁ ବି ଗୋଟିଏ ଗୁଳି ଭେଦ କରି ସାରିଥିଲା । ରାମ ଦୁରୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ କଦମଗୁଡା–ଡାବୁଗୁଡା ଜଙ୍ଗଲ ଏନକାଉଣ୍ଟର ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ପରେ ଜଣେ କ୍ୟାଡର ମାଓବାଦୀର ମୃତଦେହ ଉଦ୍ଧାର ହୋଇଛି ।

ସହିଦ ଯବାନ ଜୟରାମ କଓାସୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକବାର୍ତ୍ତାରେ ନବୀନ କହିଛନ୍ତି,  ମାଓ ଆକ୍ରମଣରେ ପ୍ରାଣ ହରାଇଥିବା ଡିଭିଏଫ୍ ଯବାନ ଜୟରାମଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି। ଏହି ଅପୂରଣୀୟ କ୍ଷତିକୁ ମୁକାବିଲା କରିବା ଲାଗି ଶକ୍ତି ଓ ସାହସ ଦିଅନ୍ତୁ।

ସମ୍ବନ୍ଧିତ ଖବର