ଜୀବନ ବଞ୍ଚାଇବା ଏକମାତ୍ର ଲକ୍ଷ୍ୟ: ନବୀନ

ସମ୍ଭାବ୍ୟ ବାତ୍ୟା 'ୟାସ୍' ପରିସ୍ଥିତିର ସମୀକ୍ଷା କଲେ ମୁଖଖ୍ୟମନ୍ତ୍ରୀ

କଚ୍ଚା ଘରେ ଥିବା ସବୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଅ
ଜିଲ୍ଲାପାଳ ଓ ଏସ୍‌ପି ବ୍ୟକ୍ତିଗତ ଭାବେ ତଦାରଖ କରିବେ
ଅକ୍ସିଜେନ୍ ଯୋଗାଣ ନିଶ୍ଚିତ କରିବାକୁ ନି‌ର୍ଦ୍ଦେଶ

ଭୁବନେଶ୍ବର : କୋଭିଡ୍ ବେଳେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ପରିସ୍ଥିତି ସୃଷ୍ଟି କରିଛି। ସରକାରୀସ୍ତରରେ ଗତ ୪୮ ଘଣ୍ଟା ଧରି ତନାଘନା ହେବା ପରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୁଦାୟ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ପଷ୍ଟ କରିଛନ୍ତି ଯେ ‘ସବୁ ଜୀବନ ମୂଲ୍ୟବାନ’। ବାତ୍ୟାରେ ଜୀବନହାନୀ ନ ହେବା ସବୁଠାରୁ ବଡ଼ ଲକ୍ଷ୍ୟ। ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର।

ଏଣୁ କଚ୍ଚା ଘରେ ରହୁଥିବା ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ଆଣିବା ଉପରେ ଗୁରୁତ୍ବ ଦେବା ସହିତ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ସେ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବେ। କୋଭିଡ୍ ରୋଗୀଙ୍କ ଚିକିତ୍ସା, ଡାକ୍ତର, ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀଙ୍କ କାର୍ଯ୍ୟରେ ଯେଭଳି ବ୍ୟାଘାତ ନ ହୁଏ, ତାହାକୁ ଦୃଷ୍ଟି ଦେବା ସହିତ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଏକ ବୈଠକ କରିଥିଲେ। ସେ କହିଥିଲେ, ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ‘ୟାସ୍’ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍‌ ଭାବରେ ନିର୍ଣ୍ଣୟ ହୋଇନାହିଁ। ତେଣୁ ଆମର ସମସ୍ତ ଉପକୂଳବର୍ତ୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବା ଦରକାର।

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଯଥା ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଓ ରାସ୍ତା ପରିଷ୍କାର କରିବା ଭଳି ମେସିନ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ବାତ୍ୟା ପରେ ସବୁଠାରୁ କମ୍‌ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯିବା ଦରକାର। ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ”କୋଭିଡ୍ ପରିସ୍ଥିତି ଯୋଗୁ ଏହି ସମୟରେ ଅକ୍‌ସିଜେନ ଯୋଗାଣ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯିବା ଉଚିତ୍। ବିଶେଷକରି ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍‌ସିଜେନ ଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଭାବରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ହେବ। ବିପର୍ଯ୍ୟୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା ରହିଛି ଏବଂ ଆମେ ଏବେ ପ୍ରାୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହେଉଛୁ। କୋଭିଡ ମହାମାରୀ ଯୋଗୁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଦରକାର।” ବାତ୍ୟାର ସମ୍ମୁଖୀନ ହେବା ପାଇଁ ରାଜ୍ୟସରକାର ପ୍ରସ୍ତୁତ ବୋଲି ପ୍ରକାଶ କରିବା ସହିତ ଜନସାଧାରଣ ଭୟଭୀତ ନ ହୋଇ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ମାନିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ସେହିଭଳି ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ। ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ୨୨ଟି ଏନ୍‌ଡିଆର୍‌ଏଫ୍ ଟିମ୍‌, ୬୬ଟି ଓଡ୍ରାଫ୍ ଟିମ୍, ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ। ସେହିପରି ଟେଲିକମ୍‌ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସବୁ ରିଫିଲ୍ ଷ୍ଟେସନକୁ ଅତିରିକ୍ତ ଡିଜି ସେଟ୍‌ ଦିଆଯାଇଛି ଏବଂ ଜିଲ୍ଲାଗୁଡିକ ସବୁ ଅକ୍‌ସିଜେନ ସିଲିଣ୍ଡର ଗୁଡିକୁ ଆଗୁଆ ରିଫିଲିଂ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ସମ୍ଭାବନା ଥିଲେ ମଧ୍ୟ ଅନ୍ୟ ରାଜ୍ୟ ଗୁଡିକୁ ପୂର୍ବ ପରି ଅକ୍‌ସିଜେନ ଯୋଗାଣ ଜାରି ରହିବ ବୋଲି ସେ କହିଥିଲେ।

ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା। ବାତ୍ୟା ପୁନରୁଦ୍ଧାର ପାଇଁ ୩ ହଜାର ଫୋର୍ସକୁ ମୁତୟନ କରାଯିବ ବୋଲ ସୂଚନା ଦିଆଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା, ଡିଜି ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର