ଭୁବନେଶ୍ବର/ବଲାଙ୍ଗୀର: ଚଳିତ ନିର୍ବାଚନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅତ୍ୟନ୍ତ ତିକ୍ତ ଅନୁଭୂତି ଦେଇଛି। ହାତରୁ ତ ରାଜ୍ୟର ଶାସନର ଡୋରି ଖସିଯାଇଛି। ତାହା ସହ ପ୍ରଥମ ଥର ପାଇଁ ନିଜେ ପରାଜୟର ସାମ୍ନା କରିଛନ୍ତି। ନବୀନଙ୍କ ଏହି ପରାଜୟ ରାଜନୈତିକ ମହଲକୁ ଚକିତ କରିଛି।
ନିଜର ପୁରୁଣା ଗଡ଼ ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ ନବୀନ। ଉଦ୍ଦେଶ୍ୟ ଥିଲା, ଏହାଦ୍ବାରା ପଶ୍ଚିମ ଓଡ଼ିଶାରେ ବିଜେଡି ଉପରେ ଭଲ ପ୍ରଭାବ ପଡ଼ିବ। ଦଳ ପକ୍ଷରୁ କୁଆଡ଼େ ଏକ ଆଭ୍ୟନ୍ତରୀଣ ସର୍ଭେ କରାଯାଇ ଏମିତି ଚିତ୍ର ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏହି ରଣନୀତି ଆଦୌ ସଫଳ ହେଲାନାହିଁ। ନିଜେ ନବୀନ ହିଁ ଶୋଚନୀୟ ଭାବେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପରାସ୍ତ ହେଲେ। ଭୋଟ୍ ବ୍ୟବଧାନ ରହିଲା ୧୬,୩୨୧। ନବୀନଙ୍କୁ ଜିତାଇବା ପାଇଁ ବିଜେଡି ଏଠାରେ ଜୋର୍‌ଦାର ଉଦ୍ୟମ କରିଥିଲା। ବାହାରେ ରହୁଥିବା ଦାଦନଙ୍କୁ ଟ୍ରେନ୍ ଓ ବସ୍‌ରେ ଆଣିବାର ବ୍ୟବସ୍ଥା କରାଯାଇଥିଲା। ବହୁ ବିଜେଡି ନେତା କଣ୍ଟାବାଞ୍ଜିରେ ଡେରା ପକାଇଥିଲେ। ପାଣ୍ଡିଆନ୍ ଏଠାରେ ମାରାଥନ୍ ପ୍ରଚାର କରିଥିଲେ। କିନ୍ତୁ କଣ୍ଟାବାଞ୍ଜି ସହରରେ ନବୀନ ଥରୁଟିଏ ବି ପାଦ ରଖିଲେ ନାହିଁ। କୌଣସି ସଭା କି ରୋଡ୍ ସୋ’ କଲେ ନାହିଁ। ଏହା ଦଳ ପାଇଁ ଘାତକ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି।

Advertisment

ଫଳରେ ଲକ୍ଷ୍ମଣ ସ୍ଥାନୀୟ ଭୋଟ୍ ବ୍ୟାଙ୍କ୍‌କୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିଲେ। ଗତ ଥର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜାଙ୍କୁ ଠାରୁ ଲକ୍ଷ୍ମଣ ମାତ୍ର ୧୨୮ ଖଣ୍ଡ ଭୋଟ୍‌ରେ ହାରିଯାଇଥିଲେ। ଏଥର ସାଲୁଜା କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ବି ପ୍ରଚାରରେ ସକ୍ରିୟ ଥିଲା ପରି ଅନୁଭବ ହେଉ ନଥିଲା। ଏହାର ଫାଇଦା ବି ଲକ୍ଷ୍ମଣ ଉଠାଇଥିବା କୁହାଯାଉଛି। ହିଞ୍ଜିଳିରେ ନବୀନ ଜିତିଥିଲେ ବି ଭୋଟ୍ ବ୍ୟବଧାନ ଆଦୌ ଉତ୍ସାହଜନକ ନୁହେଁ। ଗତ ଥର ସେ ଏଠାରେ ୬୦,୧୬୦ ଭୋଟ୍‌ରେ ଜିତିଥିଲା ବେଳେ ଏଥର ଭୋଟ୍‌ ବ୍ୟବଧାନ ରହିଛି ମାତ୍ର ୪୬୩୬। ହିଞ୍ଜିଳିରେ ଯେ ନବୀନଙ୍କୁ ଏତେ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ, ତାହା କେହି ଭାବି ନଥିଲେ। ହିଞ୍ଜିଳିରେ କିଛି ସ୍ଥାନୀୟ ସମସ୍ୟା ସମାଧାନ ହୋଇପାରୁ ନଥିବାରୁ ତାହାର ଅସନ୍ତୋଷ ନିର୍ବାଚନରେ ପ୍ରତିଫଳିତ ହେଲା ବୋଲି କୁହାଯାଉଛି।