ଓଡ଼ିଶା ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରସଙ୍ଗ : କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶୀ ସଙ୍ଗୀତର ସ୍ବତନ୍ତ୍ର ଶୈଳୀ, ବ୍ୟାକରଣ ଓ ରାଗ‌ଶାସ୍ତ୍ର ୨୦୦୦ ବର୍ଷ ପୁରୁଣା। ଏ ବିଷୟରେ ଲିଖିତ ଭାବେ ବର୍ଣ୍ଣିତ ଅଛି। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ରହିଛି। ତେଣୁ କେନ୍ଦ୍ର ସରକାର ଏହାର ବିଭିନ୍ନ ଦିଗକୁ ବିଚାର କରି ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରୁ ଓଡ଼ିଶୀ ସଙ୍ଗୀତ ଗାୟନ ପରମ୍ପରା ରହିଆସିଛି। ଏହାର ସ୍ବତନ୍ତ୍ର ଗାନ, ତାଳ ଓ ଲୟ ଶୈଳୀ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତଠାରୁ ଭିନ୍ନ। ରାଜ୍ୟ ସରକାର ଏହାର ଉତ୍କର୍ଷ ପାଇଁ ଅନେକ ପଦକ୍ଷେପ ନେଇସାରିଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଗଠନ କରାଯାଇ ସଙ୍ଗୀତ, ନୃତ୍ୟ ଓ ନାଟକର ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି। ୧୯୯୯ ମସିହାରୁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଅଧୀନରେ ମଧ୍ୟ ସଂସ୍କୃତି, କଳା, ସଙ୍ଗୀତ ଓ ପରମ୍ପରାକୁ ଗୁରୁତ୍ବ ଦେଇ ଶିକ୍ଷା ଦିଆଯାଉଛି। ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବାରେ ଓଡ଼ିଶୀ ସଙ୍ଗୀତର ଯଥେଷ୍ଟ ଅବଦାନ ରହିଛି। ବହୁ ଓଡ଼ିଆ ନାଟ୍ୟକାର, ଭାସ୍କର୍ଯ୍ୟ, ଚିତ୍ରଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ପୂର୍ବରୁ ଓଡ଼ିଶୀ ନୃତ୍ୟ ମଧ୍ୟ ଏହାର ସ୍ବତନ୍ତ୍ର ଭଙ୍ଗୀ, ଠାଣୀ, ଲାଳିତ୍ୟ, ମୁଦ୍ରା ଇତ୍ୟାଦି ପାଇଁ ଶାସ୍ତ୍ରୀୟ ଶୈଳୀର ମାନ୍ୟତା ପାଇଛି। କିନ୍ତୁ ଓଡ଼ିଶୀ ସଙ୍ଗୀତ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ।

ଗତ ୨ ତାରିଖରେ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ୍‌ରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ଏସବୁ ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ ରାଜ୍ୟବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇପାରିବ। ଚିଠି ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରଦତ୍ତ ଏକ ସଂକ୍ଷିପ୍ତ ରିପୋର୍ଟ ମଧ୍ୟ ସଂଲଗ୍ନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର