୭ ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିଲାନି
୨୫% ମହିଳା ମନ୍ତ୍ରୀ, ଓଜନିଆ ବିଭାଗ ପାଇଲେ
ଆଞ୍ଚଳିକ ସନ୍ତୁଳନ ପାଇଁ ଉଦ୍ୟମ, ତଥାପି ୧୩ ଜିଲ୍ଲା ମନ୍ତ୍ରୀଶୂନ୍ୟ
ଭୁବନେଶ୍ବର : ମୁଁ ଶ୍ରୀ ଜଗନ୍ନାଥ ସାରକା, ଈଶ୍ବରଙ୍କ ନାମରେ ଶପଥ କରୁଛି ଯେ ମୁଁ ବିଧି ଦ୍ବାରା ପ୍ରତିଷ୍ଠିତ ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି...।
କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏମିତି ଶପଥ ପାଠରୁ ପୂର୍ବାହ୍ନ ୧୧ଟା ୫୦ରେ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପର୍ବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପ୍ରଥମେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ପରେ ୮ ଜଣ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଶପଥ ପାଠ କରିଥିଲେ।
ଜଣଙ୍କ ପରେ ଜଣେ ମନ୍ତ୍ରୀ ଶପଥ ନେବାକୁ ଆସିବା ପୂର୍ବରୁ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ପ୍ରାୟ ଏକ ଘଣ୍ଟା ଭିତରେ ଶପଥ ଗ୍ରହଣ ପର୍ବ ଶେଷ ହୋଇଥିଲା। ଶେଷରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମାନେ ଫଟୋ ଉଠାଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଶପଥ ନେବାକୁ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ଓ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/06/sapath-DSC_1616-300x149.jpg)
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ଓ ବିଭାଗ ବଣ୍ଟନକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ୨୦୨୪ ଲଢ଼େଇ ପାଇଁ ନବୀନଙ୍କ ପ୍ରସ୍ତୁତି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ମହିଳାମାନଙ୍କୁ ସବୁବେଳେ ଫୋକସ୍ରେ ରଖୁଥିବା ନବୀନ ଏଥର ନିଜ ମନ୍ତ୍ରିମଣ୍ଡଳରେ ୨୫% ମହିଳାଙ୍କୁ ସ୍ଥାନ ଦେଇଛନ୍ତି, ଯାହା କି ଓଡ଼ିଶା ରାଜନୀତିରେ ପ୍ରଥମ। ଏହି ୫ ମହିଳା ମନ୍ତ୍ରୀଙ୍କ ମଧ୍ୟରୁ ଉଷା ଦେବୀ, ପ୍ରମିଳା ମଲ୍ଲିକ ଓ ଟୁକୁନି ସାହୁ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲା ବେଳେ ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଭାବେ ଶପଥ ନେଇଛନ୍ତି। କେବଳ ସେତିକି ନୁହେଁ, ଓଜନିଆ ବିଭାଗ ବି ମହିଳା ମନ୍ତ୍ରୀମାନଙ୍କୁ ଧରାଇ ଦିଆଯାଇଛି। ରାଜସ୍ବ, ନଗର ଉନ୍ନୟନ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ମିସନ୍ ଶକ୍ତି ପରି ବଡ଼ ବିଭାଗ ଏହି ମନ୍ତ୍ରୀମାନେ ସମ୍ଭାଳିବେ।
ମନ୍ତ୍ରିମଣ୍ଡଳରେ ଆଞ୍ଚଳିକ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଇଛି। ପଶ୍ଚିମ ଓଡ଼ିଶାରୁ ଏଥର ୭ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ନବ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ ଓ ରୀତା ସାହୁ। ଏହା ବାଦ୍ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ବଲାଙ୍ଗୀର ଜିଲ୍ଲାରୁ ସରୋଜ ମେହେରଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ଥର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ପାଞ୍ଚ ଜଣ ସ୍ଥାନ ପାଇଥିଲେ। ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଥିଲା।
/sambad/media/post_attachments/wp-content/uploads/2022/06/mmm-1-300x182.jpg)
ମନ୍ତ୍ରିମଣ୍ଡଳରେ ଉପକୂଳ, ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପ୍ରତିନିଧିତ୍ବ ରହିଛି। ତାହା ସହ ଗତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଶୂନ୍ୟ ଥିବା ଜିଲ୍ଲାକୁ ଏଥର ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରାପଡ଼ା, ଯାଜପୁର, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାକୁ ଏଥର ମନ୍ତ୍ରୀ ପଦ ମିଳିଛି।
ତାହା ସତ୍ତ୍ବେ ୧୩ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, ଭଦ୍ରକ, କେନ୍ଦୁଝର, ନୟାଗଡ଼, କନ୍ଧମାଳ, ଦେବଗଡ଼, ଅନୁଗୁଳ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ଼। ଦେବଗଡରେ କୌଣସି ବିଧାୟକ ନ ଥିବାରୁ ସେଠାରେ କାହାକୁ ମନ୍ତ୍ରୀ କରିବା ଲାଗି ନବୀନଙ୍କ ପାଖରେ ସୁଯୋଗ ନଥିଲା। ସେହିଭଳି ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲା ପାଇଁ କିଛିଟା ଆଶ୍ବାସନା ରହିଛି। ଅନୁଗୁଳ ଜିଲ୍ଲାରୁ ରଜନୀକାନ୍ତ ସିଂହ ଉପବାଚସ୍ପତି ହୋଇଥିଲା ବେଳେ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ପଦବି ମିଳିଛି।
/sambad/media/post_attachments/wp-content/uploads/2022/06/m34-300x88.jpg)
ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ରାଜନୈତିକ ମହଲରୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ପୂର୍ବ ମନ୍ତ୍ରିମଣ୍ଡଳରୁ ଏଥର ପୁନର୍ବାର ସାମିଲ ହୋଇଥିବା ୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ପୁରୁଣା ବିଭାଗ ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଶୋକ ପଣ୍ଡା ଓ ଜଗନ୍ନାଥ ସାରକାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଥିଲେ ବି ବିଭାଗ ପରିବର୍ତ୍ତନ ହୋଇନାହିଁ। କେବଳ ଜଗନ୍ନାଥଙ୍କୁ ଅତିରିକ୍ତ ଭାବେ ଆଇନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି। ପୁରୁଣା ମନ୍ତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ ନୂଆ ବିଭାଗ ପାଇଛନ୍ତି। ନିରଞ୍ଜନ ପୂଜାରୀ ଅର୍ଥ ବିଭାଗ ପୁନର୍ବାର ପାଇଥିଲା ବେଳେ ତାଙ୍କୁ ନୂଆ କରି ସଂସଦୀୟ ବ୍ୟାପାର ବିଭାଗ ମିଳିଛି। ତୁଷାରକାନ୍ତି ବେହେରା ତାଙ୍କ ପୂର୍ବ ବିଭାଗ ସହ ଗୃହ ରାଷ୍ଟ୍ରମନ୍ତ୍ରୀର ଅତିରିକ୍ତ ଦାୟିତ୍ବ ପାଇଛନ୍ତି। ରାଜେନ୍ଦ୍ର ଢୋଲକିଆ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇ କ୍ୟାବିନେଟ୍ରେ ସ୍ଥାନ ପାଇଥିଲେ ବି ତାଙ୍କୁ କେବଳ ଯୋଜନା ଓ ସଂଯୋଜନ ବିଭାଗେର ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗ୍ରାମ୍ୟ ଉନ୍ନୟନ, ଶ୍ରମ, ଉଚ୍ଚଶିକ୍ଷା ଓ ମିସନ୍ ଶକ୍ତି ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରାଷ୍ଟ୍ର ମନ୍ତ୍ରୀମାନଙ୍କ ହାତରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ministers-ddd-1.jpg)