ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତା’ସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
/sambad/media/post_attachments/wp-content/uploads/2020/09/t-53-300x136.jpg)
କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସେହିପରି ଛୋଟ ଦୋକାନୀ ଓ ଉଠା ଦୋକାନୀମାନେ ମଧ୍ୟ କୋଭିଡ ନିୟମାବଳୀ ଉଲଙ୍ଘନ କରୁଥିବା ନଜରକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ପୁଲିସ, ସ୍ବାସ୍ଥ୍ୟ ବିଭାଗ ଏବଂ ପୌରସଂସ୍ଥା ପରସ୍ପର ସମନ୍ବୟ ରଖି ନିୟମାବଳୀ କଡାକଡି ପାଳନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅନେକ ଲୋକ ନିୟମାବଳୀ ଠିକ୍ ଭାବରେ ପାଳନ କରୁଥିବା ବେଳେ କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।
ଗଞ୍ଜାମ, ସୁନ୍ଦରଗଡ, ଗଜପତି ଓ କୋରାପୁଟରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବ୍ରହ୍ମପୁର ମଡେଲ ଅନୁସରଣ କରିବା ପାଇଁ କଟକ-ଭୁବନେଶ୍ବର ପୌର ପ୍ରଶାସନ ସମେତ ଯାଜପୁର, ବରଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। pic.twitter.com/nyJMhfiKlP
— I & PR Department, Odisha (@IPR_Odisha) September 9, 2020
ଯେଉଁ ଜିଲ୍ଲା ମାନଙ୍କରେ କୋଭିଡ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଟିଏମସି, କୋଭିଡ କେୟାର ସେଣ୍ଟର ଏବଂ କୋଭିଡ କେୟା ହୋମ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଭିନ୍ନ ସରକାରୀ କର୍ମଚାରୀ ମାନେ ସଂକ୍ରମିତ ହେଉଥିବା ଖବରରେ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସରକାରୀ ଅଫିସରେ କୋଭିଡ ନିୟମାନବଳୀକୁ ଆହୁରି କଡାକଡି ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ।
କୋଭିଡ ପରିଚାଳନା ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୭୭.୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ସାମାନ୍ୟ ଅଧିକ। ସେହିପରି ମୃତ୍ୟୁ ହାର ସାରା ଦେଶରେ ସର୍ବନିମ୍ନ ରହିଛି ଏବଂ ଏହା ୦.୪୩ ପ୍ରତିଶତ । ଗୁରୁତର ରୋଗୀଙ୍କ ପାଇଁ ଷ୍ଟେପ-ଡାଉନ ଆଇସିୟୁ ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।