ଭୁବନେଶ୍ବର: ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ଆଣିଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କହି ଓଡ଼ିଶାବାସୀଙ୍କୁ ଅପମାନିତ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଗୃହ ବିଭାଗର ଖର୍ଚ୍ଚ ଦାବି ଉତ୍ତର ଅବସରରେ ସେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ସେ ନିଜ ବିବୃତିରେ କହିଛନ୍ତି, ‘‘ରାଜ୍ୟରେ ଯଦି ଆଇନଶୃଙ୍ଖଳା ଠିକ ନଥାନ୍ତା, ତା’ହେଲେ ପୁଞ୍ଜିନିବେଶ ଆସନ୍ତା ନାହିଁ। ଦେଶରେ ଓଡ଼ିଶାକୁ ସବୁଠାରୁ ଅଧିକ ପୁଞ୍ଜିନିବେଶ ଆସୁଛି। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା। ଓଡ଼ିଶାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଠିକ୍ ନଥିବା କହିବା ଓଡ଼ିଶାବାସୀଙ୍କୁ ଅପମାନ କରିବା ସହ ସମାନ। ଯେଉଁମାନେ ଏପରି କହୁଛନ୍ତି, କିଛି ମନେ ରଖିବା ଉଚିତ। ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍’ରେ ନିବେଶକମାନେ ଆସି କହୁଛନ୍ତି ଓଡ଼ିଶାବାସୀ ଶାନ୍ତିପ୍ରିୟ। ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାର ଲୋକେ ଶାନ୍ତିପ୍ରିୟ ହୋଇଥିବାରୁ ସେମାନଙ୍କ ପାଇଁ ମୁଁ ଗର୍ବିତ।’’ ଏଥିସହ ସେ କହିଥିଲେ ଯେ ନବ ଦାସ ହତ୍ୟା ଘଟଣାର ତଦନ୍ତକୁ
ହାଇକୋର୍ଟର ପୂର୍ବତନ ବିଚାରପତି ତଦାରଖ କରୁଛନ୍ତି। ଏ ବ୍ୟାପାରରେ ବିରୋଧୀ ମିଛ ପ୍ରଚାର କରୁଛନ୍ତି।
ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଠିକ୍ ଥିବାରୁ ପରିବହନ କାର୍ଯ୍ୟ ଠିକ୍ଠାକ ଚାଲିଛି। ରାଜ୍ୟରେ ପରିବହନ କାର୍ଯ୍ୟରେ କୌଣସି ଅସୁବିଧା ହେଉ ନାହିଁ। ଆମର ରେଳବାଇ ଓଡ଼ିଶାରୁ ଦେଶରେ ସର୍ବାଧିକ ଲାଭଦାୟକ କରିପାରୁଛି। ହକି ବିଶ୍ବକପ, ରଥଯାତ୍ରା, ନିର୍ବାଚନ ଓ ପରୀକ୍ଷା ସୁରୁଖୁରୁରେ ପରିଚାଳିତ ହୋଇପାରିଛି। ଶ୍ରମ ସଂପର୍କିତ ପ୍ରସଙ୍ଗ ରାଜ୍ୟରେ ବହୁତ ଭଲଭାବରେ ପରିଚାଳିତ ହୋଇପାରୁଛି। ଆଇନଶୃଙ୍ଖଳା ଠିକ୍ ଥିବାରୁ ରାଜସ୍ବ ବୃଦ୍ଧି ହୋଇପାରୁଛି। ପ୍ରତିବର୍ଷ ଏହା ବୃଦ୍ଧି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜନତାଙ୍କୁ ଉତ୍ତମ ସେବା ଦେବା ଉଦେଶ୍ୟରେ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କୁ କିଭଳି ସେବା ମିଳିପାରୁଛି, ସେଥି ପାଇଁ ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଉଛି। ରାଜ୍ୟ ସରକାର ୨୦୨୨-୨୩ ବର୍ଷରେ ୮୦୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କୁ ଚାକିରି ଦେବେ। ଏଥି ପାଇଁ ଓପିଏସ୍ସି, ଓଏସ୍ଏସ୍ସି ଓ ଓଏସଏସ୍ଏସ୍ସି ମାଧ୍ୟମରେ ଚୟନ ପ୍ରକ୍ରିୟା ହେବ। ମୋ ସରକାର ଓଡ଼ିଆ ଭାଷାର ବିକାଶ ପାଇଁ କାମ କରୁଛି। ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉଭୟ ଓଡ଼ିଆ ଓ ଇଂରାଜୀକୁ ବିକଳ୍ପ କରାଯାଇଛି। ୬୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୫୫୭ ଜଣଙ୍କ ନାଁରେ ୨୮୭ଟି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/cm-1.jpg)