ମିଶନ ଶକ୍ତି ମେଳାରେ ମୁଖ୍ୟମନ୍ତ୍ରୀ : ବୁଲିଲେ, ଗହଣା ବାକ୍ସ ଓ ସବାଇ ଘାସ ତିଆରି ବ୍ୟାଗ୍ କିଣିଲେ

ଭୁବନେଶ୍ବର:  ମିଶନ ଶକ୍ତି ମେଳାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗହଣା ବାକ୍ସ କିଣିଛନ୍ତି । ଖାଲି ଗହଣା ବାକ୍ସ ନୁହେଁ, ଏକ  ସପିଂ ବ୍ୟାଗ ବି କିଣିଛନ୍ତି  ମୁଖ୍ୟମନ୍ତ୍ରୀ । ସବାଇ ଘାସରେ ତିଆରି ଗହଣା ବାକ୍ସ ଓ ସପିଂ ବ୍ୟାଗକୁ ନବୀନ ମୋଟ ୫୦୦ ଟଙ୍କା ଦେଇଛନ୍ତି ।

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ବୁଧବାର ସଂଧ୍ୟାରେ ବୁଲିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ପରିଦର୍ଶନ ବେଳେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନବୀନ ପ୍ରଶଂସା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କିଭଳି ଆଗାମୀ ଦିନରେ ଏହାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ ।

ଚଳିତ ଥର ମିଶନ ଶକ୍ତି ମେଳାରେ ୨୦୨ଟି ଷ୍ଟଲ ଲାଗିଛି, ଯେଉଁଥିରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ବିକ୍ରି ହେଉଛି । ଏଥିସହ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି, ଯାହାକୁ ବୁଲି ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ଯାଇଥିଲେ ।

ତେବେ ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତିକରଣ କରିବାକୁ ୨୦୦୧ରେ ମୁଖ୍ୟମନ୍ତ୍ରୀନ ନବୀନ ମିଶନ ଶକ୍ତି ଆରମ୍ଭ କରିଥିଲେ । ଯାହା ଏବେ ଏକ ବିପ୍ଲବରେ ପରିଣତ ହେବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛି ।

ସମ୍ବନ୍ଧିତ ଖବର