କେନ୍ଦୁଝର: ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଜନ୍ମମାଟି ‘ଉପର କୁସୁମିତା’ ‌ହେବ ଐତିହ୍ୟ ଗ୍ରାମ (ହେରିଟେଜ୍‌ ଭିଲେଜ)। ବଦଳିବ ଗାଁର ଚିତ୍ର। ଗାଁ ବୁଲିବାକୁ ଆସିବେ ଦେଶବିଦେଶର ପର୍ଯ୍ୟଟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଗାଁର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ପ୍ରାୟ ୫୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ପଞ୍ଚାୟତରେ ଥିବା ଉପର କୁସୁମିତା ଗାଁରେ ରହିଛି ବିପ୍ଳବୀ ଧରଣୀଧର ଭୂୟାଁଙ୍କ ବଂଶଜଙ୍କ ଘର। ଧରଣୀଧର ବ୍ୟବହାର କରୁଥିବା ଏକ କୂଅ ମଧ୍ୟ ଏଠାରେ ଅଛି। ଗାଁରେ ଧରଣୀଧରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ବେଳେ ପ୍ରତିବର୍ଷ ଧରଣୀ ଭୂୟାଁ ସ୍ମୃତି ପରିଷଦ ପକ୍ଷରୁ ମେ ୫ ତାରିଖରେ ତାଙ୍କ ଜୟନ୍ତୀ ପାଳନ କରାଯାଇଆସୁଛି। ଧରଣୀଧରଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପର କୁସୁମିତା ଗାଁକୁ ଯାଇଥାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଗାଁକୁ ଐତିହ୍ୟ ଗ୍ରାମରେ ପରିଣତ କରିବାକୁ ନିଷ୍ପତ୍ତି ନେବା ‌ସହ ଏ ଦିଗରେ କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏଥିପାଇଁ ସର୍ଭେ କରାଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହାର ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି।

Advertisment

ବ୍ୟୟବରାଦ ୫୦ କୋଟି, ବଦଳିବ ଗାଁର ଚିତ୍ର
ବିପ୍ଳବୀ ଧରଣୀଧରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

ମିଳିଥିବା ତଥ୍ୟ ଅନୁସାରେ, ଉପର କୁସୁମିତା ଗାଁର ସମସ୍ତ ଘର ନିର୍ମାଣଶୈଳୀ ଗୋଟିଏ ପ୍ରକାର କରାଯିବ। ଘରଗୁଡ଼ିକର ରଙ୍ଗ ମଧ୍ୟ ସମାନ ରହିବ। ସେହିପରି ଗ୍ରାମର ପ୍ରବେଶପଥରେ ଏକ ବଡ଼ ତୋରଣ ନିର୍ମାଣ ହେବ। ଗାଁରେ ରହୁଥିବା ବିପ୍ଳବୀଙ୍କ ବଂଶଜଙ୍କ ଘରକୁ ସଂରକ୍ଷଣ କରାଯିବ। ଧରଣୀଧର ବ୍ୟବହାର କରୁଥିବା କୂଅର ପୁନରୁଦ୍ଧାର କରାଯିବ। ଗାଁରେ ଏକ ସ୍ମୃତି ବନ ନିର୍ମାଣ ‌ହେବ। ସେଠାରେ ଧରଣୀଧରଙ୍କ ବିଶାଳ ପ୍ରତିମୂର୍ତ୍ତି ସାଙ୍ଗକୁ ଏକ ସଂଗ୍ରହାଳୟ ନିର୍ମାଣ କରାଯିବ। ଯେଉଁଥିରେ ଧରଣୀଧରଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଓ ବିରଳ ଫଟୋ ସବୁ ସ୍ଥାନ ପାଇବ। ଏହାଛଡ଼ା ଗାଁରେ ଏକ ଷ୍ଟାଡିୟମ୍‌, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ଓ ‌ଶୌଚାଳୟ ନିର୍ମାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ଏହାର ଶିଳାନ୍ୟାସ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପର କୁସୁମିତା ଗାଁକୁ ଆସିବେ। ଏହା ପୂର୍ବରୁ ଜିଲ୍ଲାପାଳ ବିଶାଳ ସିଂହ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାର ନାଗଭୂଷଣଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବାରମ୍ବାର ଗାଁକୁ ଯାଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।