ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: ଜଘନ୍ୟ ଅପରାଧର ରାଜନୀତିକରଣ ହେଉଛି

ବିଧାନସଭାରେ ବିବୃତି

ନ୍ୟାୟପାଳିକା ଉପରେ ବିଶ୍ବାସ ରଖନ୍ତୁ ବିରୋଧୀ
ପ୍ରମାଣ ଥିଲେ କୋର୍ଟରେ ଦାଖଲ କରିବାକୁ ଆହ୍ବାନ
ଦିବ୍ୟଶଙ୍କରଙ୍କୁ ଗୃହରେ ପଶିବାରେ ବାଧା ଦିଆଯିବାକୁ ନିନ୍ଦା

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗରେ ସେ ବିବୃତି ରଖିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ପରି ଏକ ଜଘନ୍ୟ ଅପରାଧକୁ ରାଜନୀତିକରଣ କରାଯାଉଥିବାରୁ ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସଙ୍ଗୀନ ଅପରାଧରେ ପୁଲିସର ତଦନ୍ତକୁ ପ୍ରଶଂସା କରିବା ସହ ନ୍ୟାୟପାଳିକା ଉପରେ ବିରୋଧୀ ବିଶ୍ବାସ ରଖିବାକୁ ଆହ୍ବାନ ଦେଇଛନ୍ତି। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୂରାଇ ନ ଦେବାକୁ ବିରୋଧୀଙ୍କ ଉଦ୍ୟମକୁ ବି ମୁଖ୍ୟମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି।

ଶୁକ୍ରବାର ଅପରାହ୍‌ଣରେ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ରଖିଥିଲେ। ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନବୀନ ନିବାସରୁ ଗୃହ କାର୍ଯ୍ୟରେ ସାମିଲ୍ ହୋଇଥିବା ଶ୍ରୀ ପଟ୍ଟନାୟକ କହିଥିାଲେ ଯେ ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା। ଏପରି ଜଘନ୍ୟ ଅପରାଧ ସମସ୍ତଙ୍କୁ କଷ୍ଟ ଓ ଯନ୍ତ୍ରଣା ଦେଇଛି। ମମିତାଙ୍କର ତାଙ୍କର ମୃତ୍ୟୁ ନିଶ୍ଚିତ ଭାବେ ଏକ ବଡ଼ କ୍ଷତି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଯେମିତି ଖୁବ୍ କମ୍ ସମୟ ମଧ୍ୟରେ ଆଇନ ଅନୁଯାୟୀ ଅପରାଧୀଙ୍କୁ ଦଣ୍ଡବିଧାନ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦିଆଯିବ, ତାହାକୁ ମୋ ସରକାର ନିଶ୍ଚିତ କରିବ। କିନ୍ତୁ ଯେପରି ଭାବେ ଏହି ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧକୁ ରାଜନୀତିକରଣ କରାଯାଉଛି, ତାହା ମୋତେ ଓ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯେତେବେଳେ ଆମେ ଏପରି ସମ୍ବେଦନଶୀଳ ମାମଲା ସମ୍ପର୍କରେ କହୁଛୁ, ସେତେବେଳେ ମୃତକଙ୍କ ପରିବାରର ଯନ୍ତ୍ରଣା ଓ କଷ୍ଟକୁ ଭୁଲିବା ଉଚିତ ନୁହେଁ। ଘଟଣାଟି ଏପରି ସ୍ତରକୁ ଗଲା ଯେ ଝିଅର ମୃତ୍ୟୁକୁ ରାଜନୀତିକରଣ ନ କରିବାକୁ ଓ ଝିଅର ଚରିତ୍ର ହନନ ନ କରିବାକୁ ମୃତକଙ୍କ ବାପା-ମା’ଙ୍କୁ ହାତ ଯୋଡ଼ି କହିବାକୁ ପଡ଼ିଲା। ସେମାନଙ୍କର ଏପରି ଭାବପ୍ରବଣ ଆବେଦନ ସତ୍ତ୍ବେ ଘଟଣାର ରାଜନୀତିକରଣ ଜାରି ରହିଛି। ପରିବାର ସଦସ୍ୟମାନଙ୍କୁ ଶାନ୍ତିପୂର୍ଣ୍ଣ ଶୋକ ପାଳନ କରିବାକୁ ବି ଅନୁମତି ଦିଆଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ।

ମମିତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଜୋର୍ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋ ସରକାର ନିରପେକ୍ଷତା ଓ ବିଶ୍ବସନୀୟତା ପାଇଁ ଜଣାଶୁଣା। ଏଥି ପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଦେଉଛନ୍ତି। ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ସମସ୍ତଙ୍କୁ ବିଶେଷ କରି ମହିଳା ଓ ସମାଜର ଦୁର୍ବଳ ବର୍ଗଙ୍କୁ ନ୍ୟାୟ ଦେବାକୁ କାର୍ଯ୍ୟ କରେ। ଏହି ମାମଲାରେ ମଧ୍ୟ କମ୍ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆମେ ତ୍ବରିତ ବିଚାର ନିମନ୍ତେ କୋର୍ଟକୁ ଯିବୁ।

ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବାକୁ ବିରୋଧୀଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଗଣତନ୍ତ୍ରର ଏକ ବୈଶିଷ୍ଟ୍ୟ ହେଉଛି ସ୍ବାଧୀନ ନ୍ୟାୟପାଳିକା। ଏହି ମାମଲାରେ ତଦନ୍ତରେ ସ୍ବଚ୍ଛତା ରଖିବା ପାଇଁ ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ମାମଲାର ତଦନ୍ତ ତଦାରଖ କରିବା ପାଇଁ ମୋ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ। ଏହା ପରେ ହାଇକୋର୍ଟ ତଦନ୍ତର ତଦାରଖ କରିବାକୁ ଜଣେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ବିଚାର ବିଭାଗୀୟ ତଦାରଖରେ ପୁଲିସ୍‌ର ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଚାଲିଛି। ଆମେ ସ୍ବାଧୀନ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବା ସହ ସମ୍ମାନ ଦେବା ଉଚିତ। ଏହି ମାମଲାରେ ଯାହା ପାଖରେ ଯାହା ପ୍ରମାଣ ଅଛି ତାହାକୁ କୋର୍ଟଙ୍କ ନଜରକୁ ଅଣାଯାଉ।

ପୁଲିସର ତଦନ୍ତକୁ ପ୍ରଶଂସା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ମୁଁ ପୁଲିସ୍‌ର ସ୍ବାଧୀନତାକୁ ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଥାଏ। ବିଶେଷ କରି ମହିଳାଙ୍କ ପ୍ରତି ଏପରି ଜଘନ୍ୟ ଅପରାଧର ତଦନ୍ତରେ ପୁଲିସ୍‌କୁ ସମ୍ପୂର୍ଣ୍ଣ କ୍ଷମତା ଓ ସ୍ବାଧୀନତା ଦିଆଯାଇଛି। ଅପରାଧୀ ଯେତେ ବଡ଼ ଲୋକ ହୋଇଥାଉ ନା କାହିଁକି, ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ଆଦୌ ସଙ୍କୋଚ କରେ ନାହିଁ। ଯେଉଁଠାରେ ପୁଲିସ୍‌ର କିଛି ଅବହେଳା କିମ୍ବା ପକ୍ଷପାତିତା ଜଣାପଡ଼େ, ସେଠାରେ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଅତୀତରେ ମହିଳାଙ୍କ ବିରୋଧରେ ଏପରି ସମ୍ବେଦନଶୀଳ ଘଟଣା ଘଟିଛି। ସେହି ମାମଲାଗୁଡ଼ିକ ପରବର୍ତ୍ତୀ ସମୟରେ ସିବିଆଇ, ହାଇକୋର୍ଟ ତଦାରଖ କିମ୍ବା ବିଚାରବିଭାଗୀୟ ତଦନ୍ତ ପାଇଁ ଦିଆଯାଇଛି। କୌଣସି ମାମଲାରେ ମଧ୍ୟ ରାଜ୍ୟ ପୁଲିସର ପେଶାଦାର କାର୍ଯ୍ୟର ଅଭାବ ଦେଖାଯାଇ ନାହିଁ।

ବିରୋଧୀଙ୍କ ଆଭିମୁଖ୍ୟକୁ ସମାଲୋଚନା କରିବାକୁ ପଛାଇ ନ ଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ଏହି ପବିତ୍ର ଗୃହର ସଦସ୍ୟ ଥିବା ଜଣେ ସହକର୍ମୀଙ୍କୁ ତାଙ୍କ କର୍ତ୍ତବ୍ୟ କରିବାରେ ବାଧା ଦିଆଯିବା ଚିନ୍ତାର ବିଷୟ। ଭାରତୀୟ ସମ୍ବିଧାନ ବ୍ୟବସ୍ଥାପକ ସଭା ଓ ଏହାର ସଦସ୍ୟଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ସହ ବିନା କୌଣସି ଭୟ ଓ ଚାପରେ ସେହି ଦାୟିତ୍ବ ତୁଲାଇବା ପାଇଁ ନିର୍ଦ୍ଦିଷ୍ଟ ସୁରକ୍ଷା ଓ ସୁଯୋଗ ଦେଇଛି। ଯଦି ଗୃହର ସଦସ୍ୟମାନଙ୍କୁ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇବାକୁ ଅନୁମତି ଦିଆ ନ ଯାଏ, ତେବେ ତାହା ନିଶ୍ଚିତ ଭାବେ ଅସମୀଚିନ। ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରୁଛି ଏବଂ ଏପରି ଉଦ୍ୟମ ଯେ କୌଣସି ସମୟରେ ଅପ୍ୟବହାର ହେବାର ଆଶଙ୍କା ରହିଛି।

ଶେଷରେ କେନ୍ଦ୍ରର ଅବହେଳା ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କଥା ଉଠାଇ ଶ୍ରୀ ପଟ୍ଟନାୟକ କହି‌ଲେ ଯେ ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟ ଏକ ଶୀତଦିନିଆ ବାତ୍ୟାକୁ ସାମ୍ନା କରିବାର ଆଶଙ୍କା ରହିଛି। ସାରା ବିଶ୍ବରେ କୋଭିଡ୍ ମହାମାରୀର ଭୟ ଜାରି ରହିଛି। ଚାଷୀଙ୍କ ସମସ୍ୟା, ଏଫ୍‌ସିଆଇ ଦ୍ବାରା ଧାନ ଉଠା ନ ଯିବା, କେବିକେ ସମେତ ଆଦିବାସୀ ଅଞ୍ଚଳରେ ଗ୍ରାମାଞ୍ଚଳ ଆବାସ ଯୋଜନା ବନ୍ଦ କରିବା, ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କାଣ୍ଟଛାଣ୍ଟ କରିବା, ଏଲ୍‌ପିଜି ଦର ବୃଦ୍ଧି ପରି ଲୋକଙ୍କୁ ପ୍ରଭାବିତ କରୁଥିବା ଅନେକ ପ୍ରସଙ୍ଗ ଆମ ପାଖରେ ରହିଛି। ତେଣୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର