୧୦ ପ୍ରତିଶତ ଅମାନିଆଙ୍କୁ ସାବାଡ୍ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ : ବାଗଚୀ

ଭୁବନେଶ୍ବର:  ଅମାନିଆ ପୂରା ରାଜ୍ୟ ପାଇଁ ବିପଦ। ରାଜ୍ୟର ୯୦ ପ୍ରତିଶତ ଲୋକ କରୋନା ମୁକାବିଲା ଲାଗି ସରକାରଙ୍କ ପ୍ରଣୀତ ନିୟମ ମାନୁ ଥିବା ବେଳେ  ୧୦ ପ୍ରତିଶତ ଖାତିର କରୁନାହାନ୍ତି । ଆଉ ଏହି ୧୦ ପ୍ରତିଶତ ଅମାନିଆ ସମସ୍ତଙ୍କ ପାଇଁ ବିପଦକୁ ଡାକି ଆଣିବେ। ତେଣୁ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଜି ସରକାରଙ୍କ କରୋନା ସାମ୍ବାଦିକ ସମ୍ମିଳନୀରେ ଏହି ଚେତାବନୀ ଦେଇଛନ୍ତି ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ।

ସେ କହିଛନ୍ତି,  ମାତ୍ର ରାଜ୍ୟର ୧୦ ପ୍ରତିଶତ ଲୋକ ହିଁ ଲକଡାଉନକୁ ଏତେ ଗୁରୁତ୍ୱର ସହ ନେଉ ନାହାନ୍ତି । ନିୟମ ନମାନି ବାହାରକୁ ବାହାରୁଛନ୍ତି। ଆଉ ସେହି ୧୦ ପ୍ରତିଶତ ଲୋକ ହିଁ ବାକି ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଆଣିପାରନ୍ତି । ତେଣୁ ସମ୍ପୃକ୍ତ ୧୦ ପ୍ରତିଶତଙ୍କୁ ସାବାଡ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଘରୁ କାହାରିକୁ ନବାହାରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ଆବଶ୍ୟକତା ନଥିଲେ କେହି ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ସରକାର ବାରମ୍ବାର ନିବେଦନ କରୁଛନ୍ତି ।  ତଥାପି କିଛି ଲୋକ ବିଭିନ୍ନ ବାହାନା କରି ଘରୁ ବାହାରୁଛନ୍ତି, ବଜାର ହାଟରେ ଘେରାଏ ବୁଲି ଆସୁଛନ୍ତି । ଅନେକ ଲୋକ ବିନା କାମରେ ଛକରୁ ବୁଲି ଆସୁଥିବା କିମ୍ବା ମେଡିସିନ ନେବା ବାହାନା କରି ସାଙ୍ଗମାନଙ୍କୁ ଦେଖା କରିବା ପାଇଁ ଯାଉଥିବା ଅଭିଯୋଗ ହୋଇଛି । ଆଉ ସେହି ଅମାନିଆ ଲୋକଙ୍କ ସଂଖ୍ୟା ହେଉଛି ମାତ୍ର ୧୦ ପ୍ରତିଶତ ।
ସେପଟେ ତାଲାବନ୍ଦକୁ ଖାମଖିଆଲି ଭାବେ ନେଇଥିବା ଲୋକଙ୍କ ନାମରେ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୋଲିସ ଡିଜି । 
ସମ୍ବନ୍ଧିତ ଖବର