ଲକ୍‌ଡାଉନ୍ ସମୟରେ ପୁଲିସର କାର୍ଯ୍ୟଧାରାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ଥାନାରେ ଅଧିକ କର୍ମଚାରୀ ମୁତୟନ ପାଇଁ ପରାମର୍ଶ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପିମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡ଼ିଶା ପୁଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୁଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର Zero Walking Inside Odisha ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୁଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଜଣାଇଥିଲେ।
ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍‌ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗରେ ଅଛନ୍ତି। ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୁଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍‌ଧ ଅଛି । ପୁଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ (enforce) କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)  ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।
ଗୃହ ବିଭାଗ ପ୍ରମୁଖ ସଚିବ  ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର