ଭିମ୍‌ସାର୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଫୋନ୍‌ କରି ଜଣାଇଲେ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା

ସମ୍ବଲପୁର : ରୋଗୀ ସେବା, ବିଶେଷ କରି କୋଭିଡ୍ ରୋଗୀଙ୍କ ଚିକିତ୍ସା ନେଇ ଭିମସାର୍‌କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ମୋ ସରକାର’ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ରୋଗୀଙ୍କଠାରୁ ନିଆ ଯାଉଥିବା ପ୍ରତିକ୍ରିୟା ଆଧାରରେ ଭିମସାର୍‌ରେ ତୁଳନାତ୍ମକ ଭାବେ କୋଭିଡ୍‌ ପରିଚାଳନା ଯଥେଷ୍ଟ ଭଲ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କହାଯାଇଛି। ଏହି ଭଲ କାମ ଜାରି ରଖିବାକୁ କହିବା ସହ ଭିମସାର୍‌ କର୍ତ୍ତୃପକ୍ଷ, ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ୍ କ୍ରିଷ୍ଣା।

ସୋମବାର ଭିମସାର୍‌ ଅଧ୍ୟକ୍ଷ ପ୍ର. ଜୟଶ୍ରୀ ଦୋରାଙ୍କୁ ଫୋନ୍ କରି ଭିନିଲ୍ କ୍ରିଷ୍ଣା କହିଲେ, ‘ମୋ ସରକାର ପକ୍ଷରୁ ଚିକିତ୍ସା ସେବା ବାବଦରେ ଫୋନ୍‌ କରି ରୋଗୀଙ୍କ, ବିଶେଷ କରି କୋଭିଡ୍ ରୋଗୀଙ୍କ ମତାମତ ନିଆ ଯାଇଥିଲା। ଭିମ୍‌ସାର୍‌ ପ୍ରତି ରୋଗୀଙ୍କ ମନ୍ତବ୍ୟ ଖୁଭ୍ ଭଲ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି। ଭିମସାର୍‌ ଏତେ ‌ଭଲ କରୁଥିବାରୁ ସେ ଆନନ୍ଦ ବ୍ୟକ୍ତ କରିବା ସହ ଡାକ୍ତର ଓ ନର୍ସ ମାନଙ୍କୁ ନିଜ ଶୁଭେଚ୍ଛା ଜଣାଇଛନ୍ତି। ତେଣୁ ସମସ୍ତଙ୍କୁ ଏ ସଂପର୍କରେ ଜଣାଇଦେବେ। ଭଲ କାମ ଜାରି ରଖିବା ପାଇଁ ଆମର ଶୁଭେଚ୍ଛା ଆପଣଙ୍କ ସହ ରହିଛି। ଯଦି କୌଣସି ନିର୍ଦ୍ଦିଷ୍ଟ ସମସ୍ୟା ରହିଛି ତା’ହେଲେ ଆପଣ ଜଣାଇଲେ ଆମେ ତାର ସମାଧାନ ପାଇଁ ଉଦ୍ୟମ କରିବୁ’।

ବର୍ତ୍ତମାନ ମ୍ୟୁକର୍‌ମାଇକୋସିସ୍‌ ରୋଗୀଙ୍କ ପାଇଁ ଆମ୍ଫୋଟାରିସିନ୍-ବି ଇଂଜେକ୍‌ସନ୍ ଉପଲବ୍‌ଧ ନଥିବା ଡା. ଦୋରା ଜଣାଇଥିଲେ। ଏହା ଉପରେ ଶ୍ରୀ କ୍ରିଷ୍ଣା କହିଲେ ଯେ କେନ୍ଦ୍ର ସରକାର ଏହି ଔଷଧ ଦେଉଛନ୍ତି ଓ ରାଜ୍ୟକୁ ଖୁବ୍ କମ୍ ସଂଖ୍ୟାରେ ଆସିଛି। ତେବେ ଭିମସାର୍‌ ପାଇଁ ସେଥିରୁ କିଛି ପଠାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର