ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ, ଭଉଣୀ ଋଣ ଏଯାଏ ଶୁଝିନାହାନ୍ତି

ମନ୍ତ୍ରୀଙ୍କ ପାଖରେ ୨ ରିଭଲଭର୍ ଗୋଟିଏ ରାଇଫଲ୍

ଭୁବନେଶ୍ବର: ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରାୟ ୨୬ ଲକ୍ଷ ଟଙ୍କାର ମୋଟ୍ ସମ୍ପତ୍ତି ସହ ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସମସ୍ତଙ୍କ ଠାରୁ ଧନୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଏଭଳି ସୂଚନା ଦେଉଛି। କିଛି ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଓ ଆଉ କେତେଜଣ ଜୁଲାଇ ଶେଷ ପର୍ଯ୍ୟନ୍ତ ନିଜର ସମ୍ପତ୍ତି ବିବରଣୀ ଦେଇଛନ୍ତି। ତେବେ ନବୀନଙ୍କ କ୍ୟାବିନେଟ୍‌ରେ ତାଙ୍କ ସହିତ ଏକାଧିକ ମନ୍ତ୍ରୀ କୋଟିପତି ଅଛନ୍ତି। କୌତୂହଳ କଥା କିନ୍ତୁ ହେଉଛି, ମନ୍ତ୍ରୀ ନବ ଦାସଙ୍କ ପାଖରେ ରହିଛି ୨ଟି ରିଭଲବର୍ ଓ ଗୋଟିଏ ରାଇଫଲ୍।

ରିପୋର୍ଟ କହୁଛି ଯେ ମୁଖ୍ୟମନ୍ତ୍ରୀ ପୂର୍ବଭଳି ସବୁଠୁ ଧନୀ ଅଛନ୍ତି। ଏଯାଏ ନିଜ ଭଉଣୀଠୁ ଆଣିଥିବା ୧୫ଲକ୍ଷ ଟଙ୍କାର ଋଣ ପରିଶୋଧ କରିନାହାନ୍ତି। ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୪୯.୨୪ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ଛୁଇଁଥିବା ହିସାବ କରାଯାଉଛି। ନବୀନଙ୍କ ପାଖରେ ଏବେବି ୧୯୮୦ ମଡେଲର ଆମ୍ବାସାଡ଼ର କାର ଥିବା ବେଳେ ୨ଲକ୍ଷରୁ ଅଧିକ ଟଙ୍କାର ଜୁଏଲାରୀ ମଧ୍ୟ ଅଛି।ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ ପ୍ରାୟ ୧୦କୋଟି ଟଙ୍କାର ସମ୍ପତ୍ତି ରହିଛି। ପ୍ରତାପଙ୍କ ପାଖରେ ୧୮୦ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬୦୦ଗ୍ରାମ ସୁନା ଓ ୨କିଲୋ ରୁପା ଅଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ଲକ୍ଷ ଟଙ୍କା ଓ ଝିଅ ଦୀପାଳୀଙ୍କ ପାଖରେ ୨.୦୭ଟଙ୍କା ଏହିପରି ପ୍ରାୟ ୩୨ଲକ୍ଷ ନଗଦ ଅଛନ୍ତି। ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟି ଟଙ୍କାରୁ ଅଧିକ ସ୍ଥାୟୀ ଜମା ରହିଛି।

କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ଲକ୍ଷ ଟଙ୍କା ହୋଇଥିବା ବେଳେ ଅରୁଣଙ୍କଠୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ଏକଥା ତଥ୍ୟ କହୁଛି। ତାଙ୍କ ୨ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ରହିଛି। ଅରୁଣଙ୍କ ପତ୍ନୀ ୮.୧୬ଲକ୍ଷ ଟଙ୍କାର ଋଣଚାପରେ ଅଛନ୍ତି। ୪୫୦ଗ୍ରାମ ସୁନା ଓ ୨ଟି କାର କାର ରହିଛି। ଦ୍ୱିତୀୟ ଥର ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨କୋଟି ଟଙ୍କା ହେବ। ଭୁବନେଶ୍ୱରରେ ତାଙ୍କର ୨ଟି ଆପାର୍ଟମେଣ୍ଟ, ୪ଟି କାର ଓ ଟିଟିଲାଗଡ଼ରେ ଦୁଇ ମହଲା କୋଠା, ପ୍ରାୟ ୬ଏକରର ମୂଲ୍ୟବାନ ଜମି ରହିଛି। ଟୁକୁନିଙ୍କ ପାଖରେ ୨୫୦ଗ୍ରାମର ସୁନା ଓ ଦେଢ଼କିଲୋ ରୂପା ରହିଛି। ସେହିପରି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୨ଲକ୍ଷ ଟଙ୍କା ହେବ। ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ଲକ୍ଷ ଟଙ୍କାର ବୃଦ୍ଧି ହୋଇଛି। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତିର ପରିମାଣ ୨୫.୬୦ ଲକ୍ଷ ଟଙ୍କା ହେବ। ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ତାଙ୍କର ୪୮୦୦ବର୍ଗଫୁଟର ଜମି ରହିଛି । ୫ଲକ୍ଷ ଟଙ୍କାର କାର ଓ ୯୦ଗ୍ରାମର ସୁନା ମଧ୍ୟ ତାଙ୍କର ଅଛି।

ସମ୍ବନ୍ଧିତ ଖବର