ଭୁବନେଶ୍ବର: ସାଧାରଣ ଲୋକ ହୁଅନ୍ତୁ କି ଜନପ୍ରତିନିଧି; ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର କର। ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନିଅ। ଯଦି ଥାନାରେ କୌଣସି ଅଭିଯୋଗକାରୀଙ୍କୁ ଖରାପ ବ୍ୟବହାର କରାଯାଏ କି ଅଭିଯୋଗ ଗ୍ରହଣ କରା ନଯାଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି କମିସନରେଟ ପୁଲିସ ଅନ୍ତର୍ଗତ ନୂଆପଲ୍ଲୀ ଥାନାଠାରେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ୪୨କୋଟି ଟଙ୍କା ବ୍ୟୟରେ ନବନିର୍ମିତ ୧୪ଟି ଥାନା ଗୃହର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁଲିସର ବ୍ୟବହାର କ’ଣ? ସେ କିଭଳି ଆଚରଣ କରନ୍ତି? ତାହା ମୁଁ ବିଧାୟକ ଥିବା ସମୟରେ ଦେଖିଛି। ଏକ ହତ୍ୟା ମାମଲାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଅଭିଯୋଗ ରଖାଗଲା ନାହିଁ ଏବଂ ମୋତେ ଥାନାରୁ ତଡ଼ି ଦିଆଯାଇଥିଲା। ତେଣୁ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ଥିବ ଏଥିରୁ ଅନୁମାନ କରାଯାଇପାରେ। ୨୦୨୪ ପୂର୍ବରୁ ପୁଲିସର ଯାହା ବ୍ୟବହାର ଥିଲା ତାହା ଆଦୌ ଗ୍ରହଣଯୋଗ୍ୟ ‌ନୁହେଁ। ଏବେ ଏମିତି ବ୍ୟବହାର ଚଳିବ ନାହିଁ। ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେବାକୁ ହେବ। ଏମିତି କି ଯଦି ଅନ୍ୟ ଥାନା ଅଞ୍ଚଳରେ ଘଟଣା ଘଟୁଛି ସେ କ୍ଷେତ୍ରରେ ଜିରୋ ଏଫ୍‌ଆଇଆର୍‌କୁ ମଧ୍ୟ ଗୁରୁତ୍ବ ଦିଆଯିବ। ଯେଉଁମାନେ ଖିଲାପ କରିବେ ସେମାନଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯିବ।

୧୪ ନୂଆ ଥାନା ଗୃହ ଉଦ୍‌ଘାଟିତ8ଭିତ୍ତିଭୂମିର ବିକାଶ ଓ ମାନବସମ୍ବଳକୁ ଗୁରୁତ୍ବ

ସେହିପରି ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ପୁଲିସକୁ ଦକ୍ଷ କରାଯିବା ସହ ଭିତ୍ତିଭୂମିରେ ବିକାଶ କରାଯିବ। ଆଗାମୀ ଦିନରେ ସମସ୍ତ ଥାନାକୁ ପାଟ୍ରୋଲିଂ ପାଇଁ ଅଧିକ ବାଇକ୍‌ ସହ ଦ୍ରୁତଗାମୀ ଯାନ ଯୋଗାଇଦିଆଯିବ। ତ୍ବରିତ ସେବା ଯୋଗାଇବା ପାଇଁ ପ୍ରତ୍ୟେକ ଥାନାରେ ସ୍ବତନ୍ତ୍ର ଟିମ୍‌ ରହିବ। ମାନବସମ୍ବଳରେ ବିକାଶ ପାଇଁ ଅଧିକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କରାଯିବ। ପୁଲିସକୁ ଅତ୍ୟାଧୁନିକ କରିବା ପାଇଁ ସମସ୍ତ ଜ୍ଞାନକୌଶଳ ଯୋଗାଇଦିଆଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଆଜି ଭୁବନେଶ୍ୱରର ନୂଆପଲ୍ଲୀ ଥାନା ସହ ଅାଭାସୀ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କଟକର ସିଆର୍‌ଆର୍‌ଆଇ ଓ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦ୍‌ଘାଟନ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ।