‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ବିମାନବନ୍ଦରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର: ‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧ଟାରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ  ବିଜେଡି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ହଜାର ହଜାର ବିଜେଡି କର୍ମୀ ଓ ନେତାଙ୍କ ଗହଳିରେ ବିମାନବନ୍ଦର ଅଞ୍ଚଳରେ ପୂରା ଜାମ୍ ହୋଇଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବରରେ ପହଞ୍ଚିଥିଲେ । ନାଚ,ଗୀତ ଓ ପାରମ୍ପରିକ ବାଦ୍ୟରେ ପୂରା ପରିବେଶ କମ୍ପିଥିଲା।  ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଆସିଥିଲେ । ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ସାରା ରାଜ୍ୟରୁ ପ୍ରାୟ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଥିଲେ।

ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୂରା କଡ଼ାକଡ଼ି କରାଯାଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ଆତଯାତ ଲାଗି  ରଖାଯାଥିଲା ।


ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା।  ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିଥିଲେ।

ସମ୍ବନ୍ଧିତ ଖବର