ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦେଖା ଦେଇଥିବା ଅବିରତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି।ମହନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଲୋକଙ୍କୁ ରିଲିଫ ଯୋଗାଇ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହାୟତା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେଉଁସବୁ ସ୍ଥାନରେ ପରିସ୍ଥିତି ସ୍ୱଭାବିକ ହୋଇସାରିଛି,ସେଠାରେ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ।

ବୈଠକରେ ସୂଚନା ଦିଆଯାଇଥିଲା ଯେ,ମାଲକାନଗିରିରେ ବିଚ୍ଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଏବଂ କଟକ-ଭୁବନେଶ୍ୱର ଓ ପୁରୀରେ ପରିସ୍ଥିତି ବର୍ତ୍ତମାନ ସ୍ୱଭାବିକ ରହିଛି। ସମ୍ବଲପୁରରେ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ମହାନଦୀରେ ମୁଣ୍ଡଳୀଠାରେ ଆଜି ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। କଟକ,କେନ୍ଦ୍ରାପଡା,ଯାଜପୁର,ଜଗତସିଂହପୁର,ଖୋର୍ଦ୍ଧା ଓ ପୁରୀ ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈତରଣୀରେ ମଧ୍ୟ ବନ୍ୟାର ସମ୍ଭାବନା ରହିଛି। କେନ୍ଦୁଝର,ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ନ୍ରସ୍ତୁତ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର,ସ୍ୱତନ୍ତ୍ର ରିଲିଫ କମିଶନର,ବିଭିନ୍ନ ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର