ଭୁବନେଶ୍ବର: ପ୍ରତ୍ୟେକ ଜୀବନ ମୂଲ୍ୟବାନ। କୌଣସି ଜଣେ ବି ଲୋକର ଜୀବନହାନି ହେବ ନାହିଁ, ତାହା ହେଉଛି ସରକାରଙ୍କ ନୀତି। ଏଣୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ସମସ୍ତ ପଦକ୍ଷେପ ନେବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଭର୍ଚୁଆଲରେ ଅତି ଭୀଷଣ ସାମୁଦ୍ରିତ ବାତ୍ୟା ‘ୟାସ୍’ ପ୍ରସ୍ତୁତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦ୍ଧାର କାର୍ଯ୍ୟରେ ସହଯୋଗ ଲାଗି ଜନସାଧାରଣଙ୍କୁ ନିବେଦନ କରିଥିଲେ ଏବଂ ନିୟମିତ ବ୍ୟବଧାନରେ ପରିସ୍ଥିତିର ସମୀକ୍ଷା କରିବା ଲାଗି ମୁଖ୍ୟଶାସନ
ସଚିବ ଏବଂ ଉନ୍ନୟନ କମିସନର ତଥା ଏସ୍ଆର୍ସିଙ୍କୁ ନିର୍ଦେଶ ଦେଇଥିଲେ।
ଅଧିକାରୀମାନେ କହିଥିଲେ ଯେ ୧୩ଟି ଜିଲ୍ଲାରେ ମୋଟ ୬୮୯୧ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ଏ ମଧ୍ୟରୁ ୫୫୨୩ଟି ଆଶ୍ରୟସ୍ଥଳ ଖୋଲାଯାଇ ରାତି ସୁଦ୍ଧା ପାଖାପାଖି ୫ଲକ୍ଷରୁ ଅଧିକ ଲୋକଙ୍କୁ ବିଭିନ୍ନ ଜିଲ୍ଲାରୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇସାରିଲେଣି। ପ୍ରତ୍ୟେକଙ୍କୁ ମାସ୍କ ପ୍ରଦାନ କରାଯାଇଛି ଏବଂ ଖାଇବା ଠାରୁ ଆରମ୍ଭ କରି ପିଇବା ପାଣି, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ଆଦି ପଦକ୍ଷେପ ନିଆଯାଇଛି। ଏହି ଅବସରରେ ସମୁଦାୟ ବାତ୍ୟାର ସଂପର୍କରେ ଏକ ଚିତ୍ର ଏସ୍ଆର୍ସି ପ୍ରଦୀପ କୁମାର ଜେନା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିଥିଲେ। ସେ କହିଥିଲେ, ପାଖାପାଖି ୪୫୦୦ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ସେମାନଙ୍କ ମଧ୍ୟରୁ ହଜାରେ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୪୦୦ ଗର୍ଭବତୀଙ୍କର ଇତିମଧ୍ୟରେ ପ୍ରସବ ହୋଇସାରିଛି।
ଶ୍ରୀ ଜେନା କହିଥିଲେ ଯେ ବିଭିନ୍ନ ପଞ୍ଚାୟତ ଗୃହ, ଅଙ୍ଗନୱାଡି ଗୃହ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ଯାହା ଫଳରେ କୌଣସି ବ୍ୟକ୍ତିବିଶେଷ ଶେଷ ମୁହୂର୍ତ୍ତରେ ଆଶ୍ରୟ ନେଇପାରିବେ। କୋଭିଡ ମହାମାରୀର ଭୟାବୟତାକୁ ଦୃଷ୍ଟିରେ ରଖି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। କୋଭିଡ୍ ହସ୍ପିଟାଲ ଗୁଡିକରେ ପାନୀୟଜଳ, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରାଯିବା ସହ ଔଷଧ, ଅକ୍ସିଜେନ ଇତ୍ୟାଦି ମହଜୁଦ ରଖାଯାଇଛି। କୋଭିଡ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳଙ୍କର ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ତ୍ତ ବିଭାଗ ଦ୍ୱାରା କୋଭିଡ ହସ୍ପିଟାଲଗୁଡିକରେ ଆବଶ୍ୟକ ଥିବା ଛୋଟ ଛୋଟ ମରାମତି କାର୍ଯ୍ୟ ମଧ୍ୟ କରାଯାଇଛି।
ସେହିଭଳି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଜଳସଂପଦ ବିଭାଗ ତରଫରୁ କୁଶଳୀ ଯନ୍ତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ଜେନେରେଟର, ଇନ୍ଧନ, ଗ୍ୟାସ କଟର ଇତ୍ୟାଦି ସାଜ ସରଞ୍ଜାମ ଏବଂ ଆବଶ୍ୟକ କୁଶଳୀ, ଅଣକୁଶଳୀ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି।
ଅନ୍ୟପକ୍ଷରେ ଏବେ ସୁଦ୍ଧା ୫୨ ଟି ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୬୦ ରୁ ଉର୍ଦ୍ଧ୍ୱ ଓଡ୍ରାଫ୍ ଟିମ୍ ଓ ୨୦୬ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୮୬ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରୁ ୮ ଟିମ୍ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ବାତ୍ୟା ସମୟରେ ଯୁବବର୍ଗ ବାହାରେ ବୁଲିବା ଓ ସେଲ୍ଫି ନେଇ ଫଟୋ ଉଠାଇବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଥିବା ଏସ୍ଆର୍ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଏସଆରସି ଶ୍ରୀ ଜେନାଙ୍କ ବ୍ୟତୀତ କିଛି ଜିଲ୍ଲାପାଳ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ସକାଳେ ବାଲେଶ୍ବର ଜିଲ୍ଲାକୁ ପଠାଇଛନ୍ତି। ସେ ସେଠାରେ ରହି ସମୁଦାୟ ବ୍ୟବସ୍ଥାର ତଦାରଖ କରିବେ।