ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଏସପିମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବୈଠକ ପରେ କରୋନା ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ । ଏଥିସହ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଗୁରୁତ୍ବ ଦେବା ସହ କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ । ଖାସକରି ବଜାର, ଧର୍ମାନୁଷ୍ଠାନ ଓ ବିବାହ ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ । କିନ୍ତୁ ନାଇଟ କର୍ଫ୍ୟୁକୁ ନେଇ ବୈଠକରେ କୌଣସି ନିଷ୍ପତ୍ତି ହୋଇ ନଥିବା ନେଇ ସୂଚନା ମିଳିଛି ।
ଏହାବାଦ୍ ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ସୂଚନା ମିଳିଛି । ଏସବୁ ଭିତରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବ ପୁଲିସ।
ରାଜ୍ୟରେ ଆରଟିପିସିଆର ପରୀକ୍ଷା ସଂଖ୍ୟାକୁ ବଢାଇବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ନେଇ ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢାଇବେ ସରକାର । ଏହାବାଦ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ବାହାଘରରେ ୫ ଶହ ବଦଳରେ ୨ ଶହ ଲୋକ ସାମିଲ ପାଇଁ ପ୍ରସ୍ତାବ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/corona-info-23_Thumb.jpg)