ପୁରୀ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଭୁବନେଶ୍ବର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ କି ମୁଁ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ହୋଇଥିବା କାର୍ଯ୍ୟ ତଦାରଖ କରିବାକୁ ଆଜି ପୁରୀ ଆସିଛି। ଏହାପରେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହୋଇଥିବା ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସବୁ କାର୍ଯ୍ୟ ସମାପିତ ହେବ। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର, ୫-ଟି ସଚିବ ଭି.କେ. ପାଣ୍ଡିୟାନ୍, ପୁରୀ ଜିଲ୍ଲାପାଳ, ଏସପି ଏବଂ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ଗତ ଜାନୁଆରି ୧୬ରେ ଶେଷଥର ଲାଗି ଶ୍ରୀମନ୍ଦିର ଆସିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଂହଦ୍ୱାରରେ ଦ୍ୱୀପ ପ୍ରଜ୍ଜ୍ବଳନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ସେ ମହାପ୍ରଭୁଙ୍କ ଦର୍ଶନ କରି ଖୁବ୍ ଖୁସି। ଏଥିସହ ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ସେ ଘୋଷଣା କରିଥଲେ । ସେଦିନ ସେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଥିଲେ। ଗତ ଜାନୁଆରି ୧୬ରେ ଶ୍ରୀଜିଉଙ୍କ ଦର୍ଶନ ସାରି ମନ୍ଦିର ଭିତରେ ପ୍ରାୟ ୨୦ମିନିଟ୍ ସମୟ ରହିବା ପରେ ମୁଖ୍ୟମନ୍ତ୍ରୀ ପୁରୀ ମୁନସିପାଲିଟି ମାର୍କେଟରେ ପହଞ୍ଚି ଶ୍ରୀକ୍ଷେତ୍ରର ନବକଳେବର ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫‘ଟି’ ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ପୁରୀ ଗସ୍ତରେ ଯାଇଥିଲେ।