‘ଗୁଲାବ’ ପ୍ରଭାବ: ଦିଲ୍ଲୀରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜୀବନ ରକ୍ଷା ଉପରେ ନବୀନଙ୍କ ଗୁରୁତ୍ବ, ୧୧ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ବର : ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଥିଲେ ଓ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲାଗୁଡ଼ିକର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନରୁ ଏବଂ କଚ୍ଚା ଘରଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନି‌ର୍ଦ୍ଦେଶ ଦେଇଥିଲେ। ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ୟାସ୍ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାହାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ, ମିସନ ଶକ୍ତି ଗୋଷ୍ଠୀ, ଏନ୍‌ଜିଓ ଓ ସ୍ବେଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ସେ କହିଥିଲେ। ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପ୍ରଭାବିତ ସମସ୍ତ ୧୧ଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ।

ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ ପ୍ରଭାବିତ ଜିଲ୍ଲାରେ ୪୨ଟି ଓଡ୍ରାଫ, ୨୪ ଏନ୍‌ଡିଆର୍‌ଏଫ୍, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ବେଳେ ଏହି ଜିଲ୍ଲାଗୁଡ଼ିକ ସହିତ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟର ଜିଲ୍ଲାପାଳମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ବୈଠକରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ବୈଠକରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର