ନିୟମ କଡ଼ାକଡ଼ି ପାଳନ କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ
୪ଜିଲ୍ଲାରେ ସଂକ୍ରମଣ ଉପରମୁହାଁ, କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଅଛି
ଅକ୍ସିଜେନ୍ ଯୋଗାଣ ଚେନ୍କୁ ମଜବୁତ୍ କରାଯିବ
ଭୁବନେଶ୍ୱର :ରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଏବେ ସାରା ବିଶ୍ବରେ ଦ୍ରୁତଗତିରେ ବ୍ୟାପୁଥିବାରୁ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ସମସ୍ତେ କୋଭିଡ କଟକଣା ମାନିବାକୁ ଆହ୍ବାନ ଦେବା ସହ ପୁଲିସ ପକ୍ଷରୁ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ଓମିକ୍ରନ୍ର ଭୟାବହତା ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇଛନ୍ତି। ଏହା ଗୁରୁତର ପ୍ରଭାବ ପକାଇବାର ଆଶଙ୍କା କରିଛନ୍ତି। ଗତ କିଛି ସପ୍ତାହ ହେଲା ୟୁରୋପରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହି ନୂଅା ପ୍ରଜାତି ଅଧିକ ସଂକ୍ରାମକ। ତେଣୁ ଜନସାଧାରଣ ଏହାକୁ ଗୁରୁତ୍ବର ସହ ନେବାକୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଥମରୁ ହିଁ ଓଡିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା। କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀଙ୍କୁ ଜାଗ୍ରତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
/sambad/media/post_attachments/wp-content/uploads/2021/12/m7cccc.jpg)
କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିସନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଏବେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସତର୍କ ଅଛନ୍ତି। କୋଭିଡ ଭିତ୍ତିଭୂମି ସୁଦୃଢ ଅଛି। ଏହାକୁ ଆହୁରି ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ ମୁକାବିଲା ନେଇ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି। ଚାରିଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଞ୍ଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ନୂଆ ଆକ୍ରାନ୍ତ ମାନଙ୍କର ଜିନମ୍ ସିକ୍ବେନ୍ସିଂ ପାଇଁ ମଧ୍ୟ ନମୁନା ପଠାଯାଉଛି। ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୮୫.୬% ଥିବାବେଳେ ଦ୍ବିତୀୟ ଡୋଜ ଟିକାକରଣ ୪୮.୪% ରହିଛି। ଯାହା କି ଜାତୀୟ ହାର ଠାରୁ ଉନ୍ନତ। ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି।
ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିୟାନ କହିଥିଲେ, କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, ଅକ୍ସିଜେନ୍ ଯୋଗାଣ ଚେନ୍କୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍ପିଟାଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବାକୁ ହେବ। ବୈଠକରେ ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମଗୁଡ଼ିକର କମିସନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/m7.jpg)